ବାଘ ଭୟରେ ଘରୁ ବାହାରୁ ନାହାନ୍ତି ଲୋକ, ବନ ବିଭାଗ କହିଲା ବୁଲୁଛି କଲରାପତରିଆ

1 min read

କନ୍ଧମାଳ: ଡରାଉଛି ବାଘ । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ସାର୍ତ୍ତୁଲ୍ ଅଞ୍ଚଳରେ ବାଘ ଆତଙ୍କ । ତିନି ଚାରିଦିନ ହେଲା ବାଘଟି ଗାଈ ଓ ଛେଳି ଶିକାର କରିଥିବା ଅଭିଯୋଗ ହୋଇଛି । କୋଟଗଡ଼ ରେଞ୍ଜର ଘଟଣାସ୍ଥଳରେ ପହଁଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲରେ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି । ତେବେ ମିଳିଥିବା ପାଦଚିହ୍ନରୁ ତାହା କଲରାପତରିଆ ବାଘ ବୋଲି ବନ ବିଭାଗ ଅନୁମାନ କରୁଛି ।

ବାଘ ଭୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ସନ୍ଧ୍ୟା ନହେଉଣୁ ଲୋକେ ଘର ଭିତରେ ବନ୍ଦି ହୋଇଯାଉଛନ୍ତି । ତେବେ ବନ ବିଭାଗ ଏହି ଘଟଣାପ୍ରତି ଅବଗତ ଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

File Photo

ସେହିଭଳି ପୂର୍ବରୁ କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ କନକପୁର ଗାଁରେ ମଧ୍ୟ ବାଘ ଆତଙ୍କ ଦେଖାଦେଇଥିଲା । ସାହାଜଖୋଲ ଜଙ୍ଗଲରେ ଏକ ଗାଈକୁ ବାଘ ମାରିଥିବା ଜାଣିବା ପରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ ।

ଅନ୍ୟପଟେ ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାତୀ ଆତଙ୍କରେ ଆତଙ୍କିତ ରହିଛନ୍ତି ଲୋକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ସଞ୍ଜ ହେଲେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ହାତୀଙ୍କୁ ଘଉଡାଇବାକୁ ଯାଇ ବନବିଭାଗକୁ ନାକେଦମ୍ ହେବାକୁ ପଡିଛି ।

Leave a Reply