ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ଆତଙ୍କ । ବାଘର ପାଦ ଚିହ୍ନ ଦେଖି ଲୋକମାନେ ଭୟଭୀତ ହୋଇଯାଇଛନ୍ତି । କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଥିବା ସନ୍ଦେହ କରାଯାଉଛି । ହାତୀଗୋଡ଼ା ଓ ସାଲେଇବେଡ଼ା ପଞ୍ଚାୟତର ଆଖପାଖ ଗାଁ ଲୋକେ ଭୟଭୀତ ହୋଇଛନ୍ତି । ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ବନ କର୍ମଚାରୀ । ବାଘର ଗତିବିଧି ଉପରେ ନଜର ରଖିଛି କ୍ୟାମେରା । ଗତକାଲି ଠାରୁ ବାଘ ବୁଲୁଥିବା ଅଞ୍ଚଳରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରିବା ସହ ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ଜଙ୍ଗଲକୁ ଛାଡିବା ପାଇଁ ବାରଣ କରିଛି ବନବିଭାଗ । ବାଘର ଗତିବିଧିକୁ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରୁଥିବା କରଞ୍ଜିଆ ଡ଼ିଏଫଓ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗ୍ରାମରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ଗ୍ରାମର କିଛି ବ୍ୟକ୍ତି ମନ୍ଦିରକୁ ଯିବା ସମୟରେ ଏକ ବାଘ ଡେଇଁ ଯାଉଥିବା ଦେଖିବାକୁ ପାଇ ଗାଁ ଲୋକଙ୍କୁ ଜଣାଇଥିଲେ । ପରେ ଗ୍ରାମବାସୀ ମାନେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ବାଘ ପାଦ ଚିହ୍ନ ଚିହ୍ନଟ କରାଯାଇଛି । ଅଧିକ ତଦନ୍ତ ପରେ ବାଘ କି ଆଉ କିଛି ଜଣା ପଡିବ ବୋଲି ବନ ଅଧିକାରୀ ବାବୁ ସେଠୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଗ୍ରାମରେ ବାଘର ଆତଙ୍କ ଲାଗି ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ଗତ ୨ ଦିନ ତଳେ ମଧ୍ୟ ବାଘ ଏଠାକୁ ଆସି ଗ୍ରାମରେ ଛେଳି, କୁକୁଡ଼ା ଆଦି ଖାଇଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

