ଆରପାରିକୁ ଟାଣିନେଲା ଟିକ୍‌ଟକ୍‌: ଦୁର୍ଘଟଣାରେ ଶାଳକ ମୃତ, ଭିଣୋଇ ଗୁରୁତର

1 min read

ବ୍ରହ୍ମପୁର: ମହଙ୍ଗା ପଡିଲା ଟିକ୍‌ଟକ୍‌ କରିବା । ଅକାଳେ ଚାଲିଗଲା ଜୀବନ । ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଖଜୁରିଆ ଛକ ନିକଟରେ ଘଟିଛି ଏଭଳି ଅଘଟଣ । ଗତକାଲି ତାରାତାରିଣୀ ଦର୍ଶନ କରି ଶଳା ଭିଣୋଇ ଫେରୁଥିବାବେଳେ ଘଟିଥିଲା ସଡ଼କ ଦୁର୍ଘଟଣା  । ଖଜୁରିଆ ଛକଠାରେ ବାଇକଟି ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ ।

ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶାଳକ ଶିବ ସାହୁଙ୍କ ଗୁରୁବାର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭିଣୋଇ ଶିବ ପାତ୍ରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଟିକ୍‌ଟକ୍‌ ସାଜିଥିଲା ମାୟା ମରିଗ । ରାସ୍ତା ତମାମ ଉଭୟେ ବାଇକରେ ବସି ଟିକ୍‌ଟିକ୍‌ ଭିଡିଓ ସୁଟିଂ କରୁଥିଲେ । ତାରାତାରିଣୀ ପାହାଡ଼ରୁ ହିଁ ଭିଡିଓ ସୁଟିଂ ଆରମ୍ଭ ହୋଇଥିଲା । ଆଉ ୧୬ ନମ୍ବର ଜାତୀୟ ରାଜପଥ ଖଜୁରିଆ ଛକ ନିକଟରେ ଘଟିଥିଲା ଦୁର୍ଘଟଣା ।

ଟିକ୍‌ଟକ୍‌ ଭିଡିଓ ମାୟାରେ ପଡ଼ି ପୂର୍ବରୁ ମଧ୍ୟ ବହୁ ଦୁର୍ଘଟଣା ଘଟିଥିବା ନଜିର ରହିଛି । ନିକଟରେ ରାଉରକେଲା ସେକ୍ଟର- ୬ରେ  ଅନିଲ ଗୋଚ୍ଛାୟତ ନାମକ ଜଣେ ୧୯ବର୍ଷ ବୟସ ଯ଼ୁବକ ଛାତ ଉପରେ ବିପଦଜ୍ଜନକ ଅବସ୍ଥାରେ ଚାଲୁ ଥିବାବେଳେ ଖସି ପଡି ଗୁରୁତର ହୋଇଥିଲେ ।

ପ୍ରତ୍ୟେକ ଦିନ ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଟିକ୍‌ଟକ୍‌ ଭିଡିଓ କରି ଦୁର୍ଘଟଣାଗ୍ରସ୍ତ ହେଉଥିବା ଖବର ସାମନାକୁ ଆସୁଛି । ଏଭଳି ଘଟଣାକୁ ଆଖି ଆଗରେ ରଖି ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ସୂଚନାଯ଼ୋଗ୍ୟ  ଟିକ୍‌ଟକ୍‌ ଏକ ଚାଇନିଜ୍‌ ଆପ୍‌ । ବିଶେଷ କରି ଯ଼ୁବପିଢି ଏଥିରେ ଆକାଉଣ୍ଟ ଖୋଲି ନିଜ ନିଜର ଭିଡିଓ ଅପ୍‌ଲୋଡ଼ କରିବାରେ ଲାଗିଛନ୍ତି । ଭିଡ଼ିଓର ପସନ୍ଦ ଅନୁସାରେ ରୋଜଗାର ମଧ୍ୟ ହେଉଛି । ତେଣୁ ଏହା କେତେକଙ୍କ ପାଇଁ ବୃତ୍ତିରେ ମଧ୍ୟ ପରିଣତ ହେଲାଣି । ତେବେ ଟିକ୍‌ଟକ୍‌ର କୁପରିଣାମକୁ ଆଖି ଆଗରେ ରଖି ମାଦ୍ର।ସ ହାଇକୋର୍ଟ ଟିକ୍‌ଟକ୍‌ ଉପରେ କଟକଣା ଜାରି କରିବା ସହ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ । ଫଳରେ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ଟିକ୍‌ଟକ୍‌କୁ ହଟାଯାଇଥିଲା । ତେବେ ପୁଣି ଆଇନର ଫାଙ୍କ ଦେଖି ଟିକ୍‌ଟକ୍‌ ଏବେ ଲୋକପ୍ରିୟ ହେବାରେ ଲାଗିଛି । ବ୍ଳୁ ହ୍ୱେଲ୍‌ , ପବ୍‌ଜି, କିକି ଡ୍ୟାନ୍ସ ପରେ ଏବେ ଟିକ୍‌ଟିକ୍‌ ଜୀବନ ସହ ଖେଳିବା ଚିନ୍ତାର କାରଣ ହୋଇଛି ।

Leave a Reply