୨ ଶହରୁ ଅଧିକ ଥର ବିଷାକ୍ତ ସାପ କାମୁଡ଼ିଲାଣି : ଚର୍ଚ୍ଚାରେ ଟିମ୍ ଫ୍ରିଡେ

ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ବରେ ଏବେ ଟିମ୍ ଫ୍ରିଡେଙ୍କୁ ନେଇ ଚର୍ଚ୍ଚା । ୨ ଶହରୁ ଅଧିକ ଥର ବିଷାକ୍ତ ସର୍ପ ଦଂଶନ ସତ୍ତ୍ବେ ସାଜିଛନ୍ତି ମରଣ ବିଜୟୀ । ତାଙ୍କୁ ନେଇ ମେଡିକାଲ ଜଗତ ବି ଆଶାବାଦୀ । ସର୍ପଦଂଶନ କ୍ଷେତ୍ରରେ ଚିକିତ୍ସା ଲାଗି ଟିମ୍ ଫ୍ରିଡେ ସହାୟକ ହେବେ ବୋଲି ଆଶା ପ୍ରକାଶ ପାଇଛି । ପୂର୍ବରୁ ସେ ବିଛା ଓ ସ୍ପାଇଡରର ବିଷକୁ ପିଇବାର ଅଭ୍ୟାସ କରିଥିଲେ । ପରେ ସେ ବିଷାକ୍ତ ସର୍ପ ଦଂଶନ ସହିବା ଲାଗି ନିଜକୁ ପ୍ରସ୍ତୁତ କରିଥିଲେ । ଆମେରିକା ଓ୍ବିସନସିନର ଟିମ୍ ଫ୍ରିଡେ ନିଜ ଘରେ ବହୁ ବିଷଧର ସାପଙ୍କୁ ବି ରଖିଥିଲେ । ପ୍ରଥମେ ସେ କମ୍ ପରିମାଣର ସାପ ବିଷ ଇଞ୍ଜେକସନ ଜରିଆରେ ନେବାର ଅଭ୍ୟାସ କରିଥିଲେ । ସିଧାସଳଖ ସର୍ପ ଦଂଶନକୁ ସହିବା ଲାଗି ସେ ନିଜକୁ ପ୍ରସ୍ତୁତି କରିଥିଲେ । ପ୍ରାୟ ଦୁଇ ଦଶନ୍ଧି ଧରି ସେ ବିଷ ଇଞ୍ଜେକସନ ନେବା ସହ ସାପ କାମୁଡାକୁ ଗ୍ରହଣ କରିଛନ୍ତି । ବହୁ ବିଷାକ୍ତ ସର୍ପ ଦଂଶନର ଚିହ୍ନ ବି ତାଙ୍କ ଦେହରେ ରହିଛି । ଏହି ସହଣୀୟ କ୍ଷମତା ସମ୍ପର୍କରେ ଗବେଷଣା କରିବା ଲାଗି ସେ ବହୁ ବୈଜ୍ଞାନିକଙ୍କୁ ସୂଚନା ଦେଇଛନ୍ତି । ଅତୀତରେ ଥରେ ଏକ ବିଷଧର ସାପ କାମୁଡିବାରୁ ସେ ତାଙ୍କର ଅଙ୍ଗୁଳିର କିଛି ଅଂଶ କାଟି ଫୋପାଡି ଦେଇଥିବା ସୂଚନା ମିଳିଛି । ସର୍ପାଘାତର ଚିକିତ୍ସା ଦିଗରେ କାମ କରୁଥିବା ସେଣ୍ଟିଭାକ୍ସ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଫ୍ରିଡେ । ଦୀର୍ଘ ବର୍ଷ ଧରି ବିଷାକ୍ତ ଇଞ୍ଜେକସନ ନେବା ପରେ ଶେଷରେ ୨୦୦୧ରେ ସିଧାସଳଖ ବିଷାକ୍ତ ସର୍ପ ଦଂଶନ ଲାଗି ନିଜକୁ ଅନୁମତି ଦେଇଥିଲେ । ନିଜର ପ୍ରଥମ ଅନୁଭୂତି ସମ୍ପର୍କରେ ସେ କହିଛନ୍ତି ସର୍ପ ଦଂଶନ ଏକ ମହୁମାଛି କାମୁଡିବା ପରି ଲାଗେ । ଥରେ ତାଙ୍କୁ ଦୁଇଟି ନାଗ ଦଂଶନ କରିଥିଲେ । ତେବେ ଚାରି ଦିନ ଆଇସିୟୁରେ ରହିବା ପରେ ସୁସ୍ଥ ହୋଇଥିଲେ । ତାଙ୍କୁ ବ୍ଲାକ ମାମ୍ବାସ, ତାଇପାନ, ନାଗ, ଚିତି ଓ ଅନ୍ୟାନ୍ୟ ବିଷାକ୍ତ ସାପ ଦଂଶନ କରିଥିବା ଜଣାପଡିଛି । ତାଙ୍କ ରକ୍ତକୁ ନେଇ ଗବେଷଣା ପରେ ସର୍ପ ବିଷନାଶକ ଔଷଧ ବାହାର କରିବାରେ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଇଛି । ପ୍ରତିବର୍ଷ ବିଶ୍ବରେ ସର୍ପାଘାତ କାରଣରୁ ୧ ଲକ୍ଷ ୧୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥାଏ ।