ବାନ୍ଧବୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ବିଧାୟକ ବିଜୟ ଶଙ୍କର

ଜଗତସିଂହପୁର: ବାନ୍ଧବୀ ସୋମାଲିକା ଦାଶଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟ ଶଙ୍କର କହିଛନ୍ତି, ମୋ ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ଭିତ୍ତିହୀନ । ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ବାନ୍ଧବୀ ସୋମାଲିକା ଦାଶଙ୍କ ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ।

କ୍ରାଇମବ୍ରାଞ୍ଚ ତଦନ୍ତକୁ ସାମ୍ନା କରିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ । କିନ୍ତୁ ଏ ଯାଏଁ କ୍ରାଇମବ୍ରାଞ୍ଚରୁ ନୋଟିସ ଆସିନି । ନୋଟିସ ଆସିଲେ ତଦନ୍ତର ସାମ୍ନା କରିବୋ ବୋଲି ବିଜୟ ଶଙ୍କର କହିଛନ୍ତି । ସୂଚନାଥାଉକି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ଗତ ମାସ ୧୮ ତାରିଖରେ ଜଗତସିଂହପୁର ଏସପିଙ୍କ ପାଖରେ ଏକ ମାମଲା ରୁଜୁ କରିଥିଲେ ।

ଅଭିଯୋଗରେ ବିଜୟଙ୍କ ବିରୋଧରେ ସେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଅଭିଯୋଗରେ କୁହାଯାଇଥିଲା ବିଜୟ ଶଙ୍କର ସେକ୍ସ ରାକେଟ ଚଳାଉଛନ୍ତି । ଏହାପରେ ଜୁଲାଇ ୪ ତାରିଖରେ ଜଗତସିଂହପୁର ଏସପି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅତିରିକ୍ତ ଡିଜିଙ୍କୁ ପତ୍ର ଲେଖିଥିଲେ । କୁହାଯାଉଥିଲା ମାମଲାର ତଦନ୍ତ ସିଆଇଡି ନଚେତ କ୍ରାଇମ ବ୍ରାଞ୍ଚ କରିପାରେ ।

ପୂର୍ବରୁ ବାଦ ବିବାଦ ପରେ ମେ ମାସରେ ଉଭୟ ବିଜୟ ଓ ସୋମାଲିକା ବିବାହ କରିବା ପାଇଁ ଜଦତସିଂହପୁର ସବରେଜିଷ୍ଟାର ଅଫିସରେ ପଞ୍ଜିକରଣ କରିଥିଲେ । ଏକ ମାସ ପରେ ଅର୍ଥାତ ଜୁନ ୧୭ରେ ବାହାଘର ପାଇଁ ତାରିଖ ଥିଲା । ହେଲେ ବିଧାୟକ ବିଜୟଶଙ୍କର ଦାସ ଉପସ୍ଥିତ ହୋଇନଥିଲେ  । ଏହାର ଗୋଟେ ଦିନ ପରେ ଅର୍ଥାତ ୧୮ ଜୁନରେ ସୋମାଲିକା ବିଜୟଙ୍କ ବିରୋଧରେ ସେକ୍ସ ରାକେଟ ଚଳାଉଥିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ ।