ନନ୍ଦିଘୋଷ ବ୍ୟୁରୋ : ଥମିବାର ନାଁ ନେଉନାହିଁ ତିରୁପତି ଲଡୁ ବିବାଦ। ରାଜ୍ଯ ନିୟନ୍ତ୍ରଣରୁ ମନ୍ଦିରଗୁଡିକୁ ମୁକ୍ତ କରିବା ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କଲେ ଶିବସେନା ୟୁବିଟି ରାଜ୍ଯସଭା ସଦସ୍ଯ ପ୍ରିୟଙ୍କା ଚତୁର୍ବେଦୀ । ଆସନ୍ତା ସଂସଦ ଅଧିବେଶନରେ ଏନେଇ ଏକ ବିଲ୍ ବିଜେପି ସରକାର ଆଣୁ ବୋଲି ଦାବି କରିଛନ୍ତି ପ୍ରିୟଙ୍କା । ତିରୁମାଲା ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁରେ ବିଭିନ୍ନ ପ୍ରାଣୀଙ୍କ ଚର୍ବି ମିଶ୍ରଣ ଅଭିଯୋଗ କ୍ରମେ ସେ କହିଛନ୍ତି- ଏହି ଘଟଣାରେ ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯାଉ । ଆସନ୍ତା ସଂସଦ ଅଧିବେଶନରେ ଦେଶର ସମସ୍ତ ମନ୍ଦିରର ଅଡିଟ ଲାଗି ଦଳ ଦାବି କରିବ ।
ସେପଟେ ତିରୁପତି ମନ୍ଦିରକୁ ଆଜି ପୂର୍ବତନ ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଯେଉଁ ଗସ୍ତ କାର୍ଯ୍ୟକ୍ରମ କରିଥିଲେ ତାହାକୁ ବାତିଲ କରିଛନ୍ତି। ତାଙ୍କ ଗସ୍ତକୁ ବାତିଲ ଲାଗି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମନ୍ଦିର ଦର୍ଶନ ପୂର୍ବରୁ ଅଣହିନ୍ଦୁଙ୍କ ଲାଗି ଉଦ୍ଦିଷ୍ଟ ଏକ ଘୋଷଣାନାମାରେ ଜଗନ ସ୍ବାକ୍ଷର କରନ୍ତୁ ବୋଲି ଦାବି କରିଥିଲେ ଟିଡିପି ଓ ବିଜେପି । ଦୁଇ ଦଳ କହିଛନ୍ତି ଟିଟିଡିର ନିୟମାବଳୀ ଅନୁସାରେ ବିଦେଶୀ ଓ ଅଣହିନ୍ଦୁମାନେ ମନ୍ଦିର ଦର୍ଶନ କରିବା ପୂର୍ବରୁ ଭଗବାନ ଭେଙ୍କଟଶ୍ବରଙ୍କ ଉପରେ ତାଙ୍କର ବିଶ୍ବାସ ରହିଛି ବୋଲି ପ୍ରଥମେ ଘୋଷଣା କରିବା ଦରକାର ।
ସେପଟେ ଅଯୋଧ୍ଯା ରାମମନ୍ଦିରରେ ବଣ୍ଟନ କରାଯାଉଥିବା ପ୍ରସାଦର ଲାବରେଟୋରୀ ଟେଷ୍ଟିଂ ପାଇଁ ପଠାଯାଇଛି । ତେଣେ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ତାତିଛନ୍ତି ଭକ୍ତ। ତିରୁପତି ମନ୍ଦିର ଅପବିତ୍ର ହୋଇଥିବା ଅଭିଯୋଗ କରି ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ଭକ୍ତ।

