ଶୀତରୁ ବଞ୍ଚିବା ପାଇଁ ଟ୍ରେନରେ ଗୋବର ଘସି ଜାଳି ସେକି ହେଲାବେଳେ ଧରିଲେ ଆରପିଏଫ ଯବାନ

ଅଲିଗଡ଼: ଶୀତରୁ ବଞ୍ଚିବା ପାଇଁ ଚାଲୁଥିବା ଟ୍ରେନରେ ଜାଳିଲେ ନିଆଁ । ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ଏଭଳି ଘଟଣା ଘଟିଛି । ନିଆଁ ଜାଳିଥିବା ଦୁଇ ଯୁବକ ଗିରଫ ହୋଇଛନ୍ତି ।

ଏକ୍ସପ୍ରେସ ଚାଲୁଥିବା ବେଳେ ହଠାତ୍ ଟ୍ରେନର ଜେନେରାଲ ବଗରେ ଧୂଆଁ ବାହାରୁଥିବା ନେଇ ଡ୍ୟୁଟିରେ ଥିବା ଆରପିଏଫ ଯବାନଙ୍କୁ ସୂଚନା ମିଳିଥିଲା । ଯବାନ ଜଣଙ୍କ ସେହି ସ୍ଥାନକୁ ଯାଇ ଦେଖିଲା ବେଳକୁ କିଛି ଯାତ୍ରୀ ଏକାଠି ହୋଇ ଶୀତରୁ ବଞ୍ଚିବା ପାଇଁ ନିଆଁ ଜାଳୁଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଟ୍ରେନ୍ ଭିତରେ ଗୋବରରେ ସେମାନା ନିଆଁ ଲଗାଇଥିଲେ । କେତେ ନିର୍ଭୟରେ ଯାତ୍ରୀମାନେ ଏଭଳି କରିଥାଇ ପାରନ୍ତି ଭାବି ଯବାନ ଜଣଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ଅଘଟଣ ହେଲା ପୂର୍ବରୁ ଯବାନ ନିଆଁକୁ ଲିଭାଇ ଦେଇଥିଲେ ।

ଏହି ଖବର ଆରପିଏଫ ବେସକୁ ସୂଚନା ମିଳିବା ପରେ ଅଲିଗଡ଼ ଆରପିଏଫ ଟ୍ରେନକୁ ଅଧ ରାସ୍ତାରେ ଅଟକାଇଥିଲା । ଏହି ଘଟଣାରେ ଚନ୍ଦନ ଏବଂ ଦେବେନ୍ଦ୍ର ନାମକ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି । ଏହି ଦୁହିଁଙ୍କ ବୟସ ୨୦ ବର୍ଷ ବୟସ ହେବ ।

ଅଟକ ରଖାଯାଇ ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗରୁ ଗୋବର ଘସି ମିଳିଥିଲା । ଅଧିକ ଶୀତ ଲାଗିବାରୁ ବାଧ୍ୟ ହୋଇ ନିଆଁ ଜାଳିଥିବା କହିଛନ୍ତି ଅଭିଯୁକ୍ତ । ଏହି ଘଟଣା ସମୟରେ ଉକ୍ତ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଥିଲା । ଦୁହିଁଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି । ଏବଂ ଅନ୍ୟ ୧୪ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ ଚେତାବନୀ ଦିଆଯିବା ପରେ ଛାଡ଼ି ଦିଆଯାଇଛି । ଏ ନେଇ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।