ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ 24 ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦାବିରେ ଜିଲ୍ଲା ଯୁବ ଏକତା ମଞ୍ଚ ବନ୍ଦ ଡାକରା ଦେଇଛି।ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ପରିବର୍ତ୍ତନ ପରଠାରୁ ସହରବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି । ସହର ମଧ୍ୟ ସ୍ଥଳୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହର ଠାରୁ ୬ କିମି ଦୂର ନୁଆଁବାଲିରୋଇ ମୌଜାକୁ ସ୍ଥାନାନ୍ତର ପରେ ପ୍ରାଥମିକ ଚିକିତ୍ସା ପାଇଁ ମଧ୍ୟ ଜନସାଧାରଣଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବା ସହ ଅସୁରକ୍ଷିତ ପରିବେଶରେ ଯିବାକୁ ପଡୁଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ଅଭାବରୁ ଏକ ମାସ ମଧ୍ୟରେ ଏକାଧିକ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା।ଏହାର ପ୍ରତିବାଦରେ ଯୁବ ଏକତା ମଞ୍ଚ ପକ୍ଷରୁ ଆଜି 12 ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି। ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଦେବଗଡ଼ ରେ ଦୋକାନ ବଜାର ସହ ଅଖ ଚକ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ବନ୍ଦ ଡାକରା କୁ ସ୍ୱତଃ ସମର୍ଥନ ଜଣାଇ ମହିଳା, ପୁରୁଷ, ଯୁବ ସମସ୍ତ ବର୍ଗର ଜନ ସାଧାରଣ ଆନ୍ଦୋଳନ କୁ ଓଲ୍ହାଇ ପୁରୁଣା ପୋଷ୍ଟ ଅଫିସ ଛକ, ବିର୍ସା ମୁଣ୍ଡା ଛକ ଓ ଆମ୍ବେଦକର ଛକ ଠାରେ ଜାତୀୟ ରାଜପଥ ଅବରୋଧ କରିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଛି । କୌଣସି ଅପ୍ରିତିକର ପରିସ୍ଥିତି ଆଶଙ୍କା ରେ ଜିଲ୍ଲା ପୁଲିସ ପକ୍ଷରୁ ସହର ରେ ପାଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହ ସହରର ବିଭିନ୍ନ ସ୍ଥାନରେ ପୋଲି ମୁତୟନ କରାଯାଇଛି ।…