ଆଜି ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ’ ଦିବସ
ନନ୍ଦିଘୋଷ ବ୍ୟୁରୋ: ଆଜି ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ । ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖକୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ଭାବେ ପାଳନ କରାଯାଏ । କନ୍ୟାରତ୍ନଙ୍କ ଅଧିକାର ସହ ମହିଳା ସଶକ୍ତୀକରଣ ନେଇ ଜନ ସଚେତନତା ସୃଷ୍ଟି କରିବା ଏହି ଦିନରେ ମୂଳ ଲକ୍ଷ୍ୟ ଅଟେ।
ପ୍ରାଚୀନ କାଳରେ ମହିଳାମାନଙ୍କର ଖୁବ୍ ଆଦର ସମ୍ମାନ କରାଯାଉଥିଲା। ମାତ୍ର ସମୟ ସହ ସମାଜରେ କନ୍ୟା ଭୃଣ ହତ୍ୟା, ବାଲ୍ୟ ବିବାହ ଓ ସତୀଦାହ ପ୍ରଥା ଭଳି ବହୁ ନିନ୍ଦନୀୟ ପ୍ରଥାର ପ୍ରଚଳନ ଆରମ୍ଭ ହୋଇଥିଲା । ଏହି କାରଣରୁ କନ୍ୟାମାନଙ୍କୁ ଶିକ୍ଷା, ପୋଷଣ, ନ୍ୟାୟିକ ଅଧିକାର ଓ ଚିକିତ୍ସା ଆଦି ଅଧିକାରରୁ ବଞ୍ଚିତ କରାଗଲା। କିନ୍ତୁ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ମହିଳାମାନଙ୍କୁ ସେମାନଙ୍କ ଅଧିକାର, ସୁରକ୍ଷା ଓ ଉନ୍ନତି ନେଇ ସଚେତନତା ସୃଷ୍ଟି କରାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଉଛି ।
କେବେଠୁ ଆରମ୍ଭ ହୋଇଥିଲା..
ମହିଳା ସଶକ୍ତୀକରଣ ସହ କନ୍ୟାରତ୍ନଙ୍କ ଅଧିକାରକୁ ନେଇ ସମାଜରେ ସତେଚନତା ସୃଷ୍ଟି କରିବା ନେଇ ପ୍ରଥମେ ୨୦୧୧ ମସିହାରେ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳନ କରିବା ନେଇ ଅନ୍ତର୍ଜାତୀୟ ସ୍ତରରେ ପ୍ରସ୍ତାବ ପାରିତ ହୋଇଥିବା । ଏହାପରେ ପ୍ରତି ବର୍ଷ ଅକ୍ଟୋବର ୧୧ ତାରିଖକୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳନ ନେଇ ସ୍ଥିର କରାଗଲା ସେବେଠାରୁ ଏହି ଦିବସ ପାଳନ କରାଯାଉଛି । ମହିଳାମାନଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ, ପୂର୍ବ ଅପେକ୍ଷା ଏଥିରେ ଅନେକ ପରିବର୍ତ୍ତନ ଆସିଛି । ବର୍ତ୍ତମାନର ଯୁଗରେ ପାଠ ପଢିବା ସହ ଝିଆମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କ ସମକକ୍ଷ ହୋଇପାରିଛନ୍ତି ।
ପ୍ରକାଶ ଥାଉ କି, କେନ୍ଦ୍ର ସରକାର କନ୍ୟାମାନଙ୍କ ସଂରକ୍ଷଣ ଓ ସଶକ୍ତିକରଣ ନେଇ ୨୦୧୫ ମସିହାରେ “ବେଟି ବଚାଓ ବେଟି ପଢାଓ” ନାମକ ଏକ ଯୋଜନା ଆରମ୍ଭ କରିଥିଲେ। ସେହିପରି ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୪ତାରିଖକୁ ଦେଶରେ ‘ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ’ ଭାବେ ପାଳନ କରାଯାଏ।

