ଆଜି ରଙ୍ଗର ପର୍ବ ହୋଲି, ସ୍ନେହ ଏବଂ ପ୍ରେମର ରଙ୍ଗ ଲଗାଉଛନ୍ତି ଦେଶବାସୀ

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଆନନ୍ଦ ଓ ଭାତୃତ୍ବର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ  । ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ରଙ୍ଗର ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି ।

ଅନ୍ୟପଟେ ହୋଲି ପାଇଁ ସଜାଗ ହୋଇଛି କମିଶନରେଟ୍ ପୋଲିସ । ସୁରକ୍ଷା ବ୍ଯବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ ପୋଲିସ । ପିସିଆର ସହ ୧୭ଟି ମୋବାଇଲ ଭେଇକିଲରେ ବୁଲିବେ ସ୍ବତନ୍ତ୍ର ଟିମ୍ । ଅମାନିଆଙ୍କ ଉପରେ ସିସିଟିଭି ସହାଯ୍ୟରେ ନଜର ରଖାଯିବ । ଏହା ସହିତ ଷ୍ଟାଇକିଂ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ପୋଲିସ ବି ପହରା ମାରିବ । ବିଶେଷକରି କେମିକାଲ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ ।  ଜଣେ ଡିସିପିଙ୍କ ନେତୃତ୍ୱରେ ରଙ୍ଗ ନେଇ ଯାଞ୍ଚ କରାଯିବ । ସେହିପରି ୪ଜଣ ଏଡିସିପିଙ୍କ ନେତୃତ୍ୱରେ ୮ ଜଣ ଏସିପି, ଆଇଆଇସିଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ହୋଲିରେ ମଦ ପିଇ ଗାଡି ଚଳାଇଲେ ଧରିବ ପୋଲିସ । ରାସ୍ତାରେ ଯୁବତୀଙ୍କୁ କମେଣ୍ଟ ମାରିଲେ ଜଗିବ ମହିଳା ପୋଲିସ । ରୋଡ୍ ରୋମିଓଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଲି ନାଁରେ କମର୍ସିଆଲ ପାର୍ଟି କରୁଥିଲେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଦେବାକୁ ପଡ଼ିବ ।