ଆଜି ଜିଏସଟି ପରିଷଦର ୫୦ ତମ ବୈଠକ, କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଦାବି ରଖିବ ଓଡ଼ିଶା

1 min read

ନୂଆଦିଲ୍ଲୀ: ଆଜି ବସିବ ଜିଏସଟି ପରିଷଦର ୫୦ତମ  ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମିଲ ହେବେ । କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଦାବିକୁ ପୁଣିଥରେ ଦୋହରାଇବ ଓଡ଼ିଶା । ଦୀର୍ଘ ବର୍ଷଧରି କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ହଟାଇବାକୁ କେନ୍ଦ୍ର ପାଖରେ ଦାବି କରିଆସୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ବାରମ୍ବାର ଦାବି କରିବା ସହ ବିଜେଡି ସାଂସଦମାନେ ମଧ୍ୟ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି  ।

ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୮ ଲକ୍ଷ ଆଦିବାସୀ କେନ୍ଦୁପତ୍ର ତୋଳାଳି ତଥା ବନ୍ଧାଳୀ ନିଜର ଜୀବନ ଜୀବିକା ନିର୍ବାହ କରନ୍ତି । ପରିବାରର ପେଟ ପୋଷିବା ପାଇଁ କେନ୍ଦୁପତ୍ର ହିଁ ସେମାନଙ୍କ ମୁଖ୍ୟ ରୋଜଗାର । କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଲଗାଇବା ଜଙ୍ଗଲ ଅଧିକାର ଆଇନ-୨୦୦୬ ଓ PESA ଆଇନ-୧୯୯୬କୁ ଉଲ୍ଲଂଘନ କରୁଛି । ଜିଏସଟି ପରିଷଦର ୫୦ ତମ ବୈଠକ ପୂର୍ବରୁ କେନ୍ଦୁପତ୍ରରୁ ଜିଏସଟି ଛାଡ଼ କରିବା ଦାବି ଜୋରଦାର ହୋଇଛି ।