ଆଜି ଶ୍ରାବଣ ମାସ ଶେଷ ସୋମବାର ; ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ିଆ

ଭୁବନେଶ୍ବର: ଆଜି ଶ୍ରାବଣ ମାସର ଶେଷ ସୋମବାର । ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ । ମହାଦେବଙ୍କୁ ଜଳଲାଗି କରୁଛନ୍ତି ଶ୍ରଦ୍ଧାଳୁ । ଶେଷ ସୋମବାର ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଶୈବପୀଠରେ ଜଳଲାଗି କରିଛନ୍ତି । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳୁଛି । ଭୋର ୩ ଟାରୁ ଦ୍ୱାର ଫିଟା ଯାଇ ପୂଜର୍ଚ୍ଚନା ଆରମ୍ଭ ହୋଇଥିଲା । ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ସାହାଣ ମେଲା ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ । ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ଼ ଲାଗିଛି ଏହାବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ୱର, ମେଘେଶ୍ୱର, ବ୍ରହ୍ମେଶ୍ୱର ଭଳି ଶିବାଳୟରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି ।

ଛେଣ୍ଡିପଦା ପ୍ରଭୁ ବାଣେଶ୍ୱରଙ୍କ ମସ୍ତକରେ ଜଳ ଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଗତକାଲି ଛେଣ୍ଡିପଦା ଟାଙ୍ଗିରି ପଞ୍ଚାୟତ ଆଉଁଳି ନଦୀରୁ କାଉଡିଆମାନେ ପାଣି ଉଠାଇଥିଲେ । ଶତାଧିକ କାଉଡ଼ିଆଙ୍କ ହର ହର ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ନଦୀ ପଠା । ଆଉଁଳି ଘାଟରେ କାଉଡିଆ ମାନେ ପୂଜାପାଠ କରିବା ପରେ କଳସରେ ଜଳ ଭରି ଶୈବପୀଠ ମୁହାଁ ଯାଇଥିଲେ  । ପ୍ରାତଃ ୪ଟା ସମୟରେ ମନ୍ଦିର ସେବାୟତ ମାନେ ମହାଦେବଙ୍କ ମଙ୍ଗଳ ଆରତୀ କରିବା ପରେ ନିତ୍ୟଃ ପୂଜାବିଧି ସାରିବା ପରେ କାଉଡ଼ିଆ ମାନେ ଧାଡ଼ିରେ ଆସି ଦେବଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରିଛନ୍ତି ।

ବିଶ୍ୱାସ କରାଯାଏ ଯେ ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରୁଥିବା ଭକ୍ତଙ୍କର ସମସ୍ତ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ । ଶ୍ରାବଣ ମାସରେ ବେଲପତ୍ର, ଭାଙ୍ଗ ସହିତ ପୂଜା କରିବା ଏବଂ ଜଳ ଅର୍ପଣ କରିବା ଅତ୍ୟନ୍ତ ଫଳପ୍ରଦ ଏବଂ ଶୁଭ ଅଟେ ।