ଧନୁଯାତ୍ରାର ଆଜି ଦ୍ବିତୀୟ ଦିନ, ଶ୍ରୀକୃଷ୍ଣ ଜନ୍ମ ନେବାପରେ ଗୋପପୁର ଯାତ୍ରା କରିବେ ବସୁଦେବ

1 min read

ବରଗଡ଼: କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ଉଦ୍ଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ-ବାସୁଦେବଙ୍କ ବିବାହ ହୋଇଥିଲା  । ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇଥିବାରୁ ଦୁଖଃତ ହୋଇପଡ଼ିଛନ୍ତି କଂସ । ଭଉଣୀ ଦେବକୀଙ୍କୁ ଶାଶୂଘରେ ଛାଡ଼ିବାକୁ ଆନନ୍ଦର ସହ ଯିବାସମୟରେ କଂସଙ୍କୁ ଶୁଭିଛି ଦୈବବାଣୀ  । ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ତାର ମୃତ୍ୟୁର କାରଣ ହେବ ବୋଲି ଦୈବୀବାଣି ଶୁଣିବାପରେ କ୍ରୋଧିତ ହୋଇପଡ଼ିଛନ୍ତି କଂସ । ସେ ଦେବକୀ-ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ସହ ନିଜେ ମଥୁରା ନଗରୀର ରାଜସିଂହାସନ ଆରୋହଣ କରିଛନ୍ତି  ।

ଆଜି ଦ୍ବିତୀୟ ଦିନରେ ଲୋକମଣ୍ଡପ ପଡିଆରେ ରଙ୍ଗ ମହଲର ଉଦଘାଟନ କାର୍ଯ୍ୟକ୍ରମ ରହିଛି  । ପରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ ନେବାପରେ ଗୋପପୁର ଯାତ୍ରା କରିବେ ବସୁଦେବ। ଯିବା ସମୟରେ ଉଗ୍ରସେନଙ୍କ ସହ ବସୁଦେବଙ୍କ ହେବ ଭେଟଘାଟ  । ପରେ ଗୋପପୁରରୁ ବିଜୁଳି କନ୍ୟାକୁ ନେଇ ପ୍ରତ୍ୟାବର୍ତ୍ତନ କରିବେ ବସୁଦେବ ।  ଏହି ଦୃଶ୍ୟ ଉପଭୋଗ କରିବାକୁ ଆଜିବି ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିବ  । ସାଂସ୍କୃତିକ ଲୋକଗୀତର ତାଳେ ତାଳେ ଝୁମିବ ବରଗଡ଼ ସହର  । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ  ପୋଲିସ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଛି  ।