ଆଜିଠୁ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ସ୍ଵତନ୍ତ୍ର ରୀତିନୀତି ହେବ ମାଆଙ୍କ ପୂଜାର୍ଚ୍ଚନା

ଗଞ୍ଜାମ: ଆଜିଠୁ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ଏନେଇ ଚଳଚଞ୍ଚଳ ମାଆ ତାରାତାରିଣୀଙ୍କ ପୀଠ । ସ୍ଵତନ୍ତ୍ର ରୀତିନୀତି ସହକାରେ ହେବ ମାଆଙ୍କ ପୂଜାର୍ଚ୍ଚନା । ଯାତ୍ରାରେ ଲକ୍ଷାଧିକ ସଂଖ୍ଯାରେ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଭକ୍ତମାନେ ପାହାଡ ଉପରକୁ ଯିବା ପାଇଁ  ୨୦ରୁ ୨୫ଟି ବସ ଚଳାଚଳ କରିବ । ଏଥିସହିତ ମନ୍ଦିର ଉପରେ ଓ ତଳେ ପାନୀୟ ଜଳ , ପାର୍କିଂ ସ୍ଥାନ ,ବ୍ଯାରିକେଡ ଭଳି ବ୍ଯବସ୍ଥା କରାଯାଇଛି । ଅନେକ ମାନସିକଧାରୀ ମୁଣ୍ଡନ କରିବା ନିମନ୍ତେ ଏହି ସମୟରେ ମନ୍ଦିରକୁ ଆସିଥାନ୍ତି । ଏଥିପାଇଁ ୬ଟି ସ୍ଥାନରେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଚୈତ୍ର ଯାତ୍ରା ଏପ୍ରିଲ ୨୩ ତାରିଖରେ ଶେଷ ହେବ । ଚଳିତ ବର୍ଷ ୫ଟି ମଙ୍ଗଳବାର ପଡୁଥିବାରୁ ମାଆଙ୍କ ସ୍ଵତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ । ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ହେବେ ମାଆ । ସମସ୍ତ ଭକ୍ତ ଯେପରି  ଭଲରେ ମାଆଙ୍କ ଦର୍ଶନ କରିପାରିବେ ସେ ନେଇ କାର୍ଯ୍ଯ କରିବେ ମାଆଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ । ଯାତ୍ରାକୁ ଶୃଙ୍ଖଳିତ ଭାବେ ସାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।