୭୨ ଦିନର ସଭାପତି ସିଦ୍ଧୁ: ଅମରିନ୍ଦର କହିଲେ, ମୁଁ ଆଗରୁ କହୁଥିଲି ନା….

1 min read

ନନ୍ଦିଘୋଷ ବ୍ୟୁରୋ: ୭୨ ଦିନ ତଳେ ସଭାପତି ହୋଇଥିଲେ । ୭୩ ଦିନ ନପୂରୂଣୁ ପଦ ଛାଡିଲେ । କାହିଁକି… ? ଆଉ ଏପରି ସୁଯୋଗର ହାତ ଛଡ଼ା ନକରି କ୍ୟାପେଟନ କହିଛନ୍ତି, ମୁଁ ଆଗରୁ କହୁଥିଲି ନା….
ସିଦ୍ଧୁଙ୍କ ରାସ୍ତାରେ କଣ୍ଟା ଥିଲେ କ୍ୟାପଟେନ । ଅମରିନ୍ଦରଙ୍କ ଅନିଛା ସ୍ୱତେ ହାଇକମାଣ୍ଡଙ୍କ ଯଥେଷ୍ଟ ଆଶୀର୍ବାଦରେ ପଞ୍ଜାବ କଂଗ୍ରେସ ମୁଖିଆ ହେଲେ । ପରେ କ୍ୟାପଟେନ ଅମରିନ୍ଦରଙ୍କୁ ହଟାଇବାରେ ସକ୍ଷମ ହେଲେ । କିନ୍ତୁ କ୍ୟାପଟେନଙ୍କ ଆସନରେ ବସିବାକୁ ଚାହୁଁଥିବା ନବଜ୍ୟୋତ ସିଂ ସିଦ୍ଧୁ ସେଇଠି ଅଟକି ଗଲେ । ମାନେ ଅମରିନ୍ଦରଙ୍କ ଇସ୍ତଫା ପରେ ସିଦ୍ଧୁ ନୁହେଁ ଚରଣ ଜିତ ଚନ୍ନି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଆଉ ପେଟରେ ପିଡ଼ାକୁ ରଖି ହସିବାର ବାହାନା କରିଥିଲେ ପଞ୍ଜାବ ପିସିସି ପ୍ରେସିଡେଣ୍ଟ । କିନ୍ତୁ 26 ତାରିଖରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ପରେ ପିଡାକୁ ଆଉ ଅଟକାଇ ପାରିନଥିଲେ ସିଦ୍ଧୁ । ନିଜ ସମର୍ଥକଙ୍କୁ କ୍ୟାବିନେଟରେ ସ୍ଥାନ ନମିଳିବାରୁ ଶେଷରେ ଆଜି ପିସିସି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

କ୍ରିକେଟରୁ ରାଜନୀତିକୁ ପ୍ରବେଶ କରିଥିବା ସିଦ୍ଧୁ ସର୍ବଦା ଚର୍ଚ୍ଚାରେ । କେତେବେଳେ ନିଜ ପ୍ରତିକ୍ରିୟାରେ ତ, ଆଉ କେତେବେଳେ ପତିଆରାରେ । କେତେବେଳେ ବିବାଦୀୟ ବୟାନରେ ତ କେତେବେଳେ ଶତ୍ରୁର ଘରେ । ଆଉ ଏବେ ନିଜ ଘରେ । ମାନେ କଂଗ୍ରେସରେ ରହି କଂଗ୍ରେସରେ ପୁରାଇଛନ୍ତି କେଁ । ସବୁକିଛି ଠିକ ଚାଲିଥିବା ପଞ୍ଜାବ କଂଗ୍ରେସରେ 2017 ମସିହାରେ ସିଦ୍ଧୁଙ୍କ ଏଣ୍ଟ୍ରି ହୁଏ । ଆଉ ବିବାଦର ବି । କଂଗ୍ରେସ ଟିକେଟରୁ ପୂର୍ବ ଅମୃତସରରୁ ବିଧାୟକ ନିର୍ବାଚିତ ହୁଅନ୍ତି । ମୁଖ୍ୟମନ୍ତ୍ରୀ ହୁଅନ୍ତି ଦଳର ବରିଷ୍ଠ ନେତା କ୍ୟାପଟେନ ଅମରିନ୍ଦର ସିଂ । ଆଉ କଳା ଏବଂ ପର୍ଯ୍ୟଟନ ମନ୍ତ୍ରୀ ସାଜନ୍ତି ସିଦ୍ଧୁ । କିନ୍ତୁ ମନ୍ତ୍ରୀ ହେବାର କିଛି ମାସ ପରେ ସିଦ୍ଧୁ ଭାରତର ଶତ୍ରୁ ରାଷ୍ଟ୍ରକୁ ଗସ୍ତ କରନ୍ତି । ଯେଉଁ ସମୟରେ ଭାରତ ପାଇଁ ବମର ସୁତୁଲି ଭିଡୁଥିଲା ପାକିସ୍ତାନ । ଠିକ ସେହି ସମୟରେ ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଅତିଥି ସାଜିଥିଲେ ସିଦ୍ଧୁ ।

ଯାହାକୁ ଖୁଲମ ଖୋଲା ବିରୋଧ କରିଥିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଦେଶବାସୀଙ୍କ ନିକଟରେ ଭୁଲ ମାଗିବା ପାଇଁ ମଧ୍ୟ ବାଧ୍ୟ କରିଥିଲେ ସିଦ୍ଧୁଙ୍କୁ । ଆଉ କ୍ୟାପଟେନଙ୍କ ଏଭଳି ଚରମ ବାଣୀ ହିଁ ସିଦ୍ଧୁଙ୍କୁ ଶତ୍ରୁ ସଜାଇଦେଇଥିଲା । ସେହି ଠାରୁ ହିଁ ପଞ୍ଜାବ କଂଗ୍ରେସରେ ଆସିଥିଲା ଟ୍ୱିଷ୍ଟ । ଗୋଟେପଟେ ଅନଭିଜ୍ଞତା ସ୍ୱତେ ହାଇକମାଣ୍ଡଙ୍କ ନିକଟତର ହେବାକୁ ଲାଗିଥିଲେ ସିଦ୍ଧୁ । ମିଠା ଭାଷଣ ଏବଂ ଯୋସ ଭରା ଆହ୍ୱାନରେ ଗାନ୍ଧୀ ପରିବାରର ମନ କିଣିଥିବା ସିଦ୍ଧୁ କିନ୍ତୁ ଅମରିନ୍ଦରଙ୍କ ପାଇଁ ଜାଲ ବିଛାଇ ସାରିଥିଲେ । ମୁଖ୍ୟମନ୍ତ୍ରୀ ଅମରନ୍ଦିର ସିଂଙ୍କ ବିରୋଧ ସ୍ୱତେ ମଧ୍ୟ ୧୮ ଜୁଲାଇରେ ସିଦ୍ଧୁଙ୍କୁ ପିସିସି ଘୋଷଣା କରିଥିଲା ଏଆଇସିସି । ଆଉ ଏହାର ପରବର୍ତ୍ତୀ ସମୟରେ ଅର୍ଥାତ ଏକ ମାସ ଅନ୍ତରରେ ସେପ୍ଟେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେଇଥିଲେ କ୍ୟାପଟେନ । ଯାଉ ଯାଉ ଏକଥା ମଧ୍ୟ କହିଥିଲେ, Sidhau Always Unfit । ନା ତାଙ୍କ ପାଖରେୱ ନେତୃତ୍ୱ ନବାର ଦକ୍ଷତା ଅଛି, ନା ନେତା ହେବାର । ବଂର କଂଗ୍ରେସ ପ୍ରତି ସେ ବିପଦ ବୋଲି କହିଥିଲେ କ୍ୟାପଟେନ ।

ସେଇୟା ହିଁ ହେଲା । ମାତ୍ର ୧୦ ଦିନର ବ୍ୟବଧାନରେ ହିଁ କ୍ୟାପଟେନଙ୍କ କଥା ସତ ପ୍ରମାଣିତ ହୋଇଛି । ସିଦ୍ଧୁ ନିଜ ପଟୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଯୋଗ୍ୟଙ୍କୁ ଯାଗା ନମିଳିବାର କାରଣ ଦର୍ଶାଇ ପଦ ଛାଡିଛନ୍ତି । ସେପଟେ କ୍ୟାବିନେଟରେ ସ୍ଥାନ ପାଇଥିବା ସିଦ୍ଧୁଙ୍କ ଗୋଷ୍ଠୀର ରାଜିଆ ସୁଲତାନା ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଆଉ ଦୂରରେ ଥାଇ କ୍ୟାପଟେନ କହିଛନ୍ତି, ମୁଁ ଆଗରୁ କହୁଥିଲି ନା….

Leave a Reply