ଆସନ୍ତାକାଲି ଭୁବନେଶ୍ୱରରେ ଶୂନ୍ୟ ଛାୟା ଦିବସ

ଭୁବନେଶ୍ୱର: ବର୍ଷରେ ଦୁଇ ଥର ସୂର୍ଯ୍ୟ ଆମ ମୁଣ୍ଡ ଉପରେ ରହେ ଏବଂ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ଯାହାକୁ ଜ୍ୟୋର୍ତିବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଦିବସ ବୋଲି କହିଥାନ୍ତି । ଏହି ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ଥିବା ଅଞ୍ଚଳରେ ହିଁ ଘଟିଥାଏ । ଏଣୁ କନ୍ୟାକୁମାରୀ ଠାରୁ ଭାରତର ମଧ୍ୟଭାଗରେ ଥିବା କର୍କଟ କ୍ରାନ୍ତି ମଧ୍ୟରେ ଥିବା ସବୁ ଅଞ୍ଚଳରେ ଏପ୍ରିଲରୁ ଜୁନ୍ ଓ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ଦୁଇ ଥର ଶୂନ୍ୟ ଛାୟା ଘଟିଥାଏ ।

ଚଳିତ ବର୍ଷ ଏହି ଦିବସ ଆସନ୍ତାକାଲି ଭୁବନେଶ୍ବର ସହରରେ ଓ ୨୨ ତାରିଖ ମଧ୍ୟାହ୍ନ ୧୧ଟା ୪୩ ମିନିଟ ସମୟରେ କଟକ, ୨୮ ତାରିଖରେ ବୁର୍ଲା ଓ ୨୯ ତାରିଖରେ ବାରିପଦାରେ ଶୂନ୍ୟ ଛାୟା ଦୃଶ୍ୟମାନ ହେବ । ଏହି ଦୃଶ୍ୟ ଦେଖିବା ପାଇଁ ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ମେ ୨୧ ତାରିଖରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।