ମହାତ୍ମା ଗାନ୍ଧୀଙ୍କ ଓଡିଶା ଯାତ୍ରାକୁ ପୁରିବ ଶହେ ବର୍ଷ, ୭ ଦିନ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ପ୍ରଦର୍ଶନୀ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଯାତ୍ରାକୁ ମଙ୍ଗଳବାର ପୁରିବ ଶହେ ବର୍ଷ । ଏହି ଐତିହାସିକ ଦିବସକୁ ସ୍ମରଣ କରିବା ପାଇଁ କଟକରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । କଟକ ଷ୍ଟେସନରୁ ଏକ ପଦଯାତ୍ରା ପ୍ରଜ୍ଞାପନ ମେଢ ସହ ବାହାରି ସହର ପରିକ୍ରମା କରି ବେଲଭ୍ୟୁ ଆସିବ । ଏଥି ସହିତ ପୁରୁଣା ଜେଲ ପରିସରରେ ଗାନ୍ଧୀଙ୍କ ସ୍ମୃତି ବହନ କରୁଥିବା ସାମଗ୍ରୀକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହେବ ।

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । କଟକରେ ଏକ ପଦଯାତ୍ରା କରି ପୁରୀ ଘାଟରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିଥିଲେ ଗାନ୍ଧି । ଏହି ଐତିହାସିକ ଦିବସକୁ ମଙ୍ଗଳବାର ଶହେ ବର୍ଷ ପୁରୁଛି । ତେବେ ଏହି ପ୍ରଜ୍ଞାପନ ମେଢ଼ ସହ ବାଚସ୍ପତି, ପିସିସି ସଭାପତି, କଟକ ସାଂସଦ ଓ ଜିଲ୍ଲାପାଳ ସହ ବହୁ ଗାନ୍ଧୀ ପ୍ରେମୀ ଯୋଗ ଦେବେ । ଏହା ସହର ପରିକ୍ରମା କରି ବେଲଭ୍ୟୁରେ ଶେଷ ହେବ ।

ଏଥି ସହିତ ଗାନ୍ଧୀ ପ୍ରେମୀ କଟକ ଦରଘାବଜାର ପୁରୁଣା ଜେଲ ପଡିଆରେ ଏକ ସୁନ୍ଦର ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏଥିରେ ଗାନ୍ଧୀଜୀଙ୍କ ପିଲା ବେଳ, ସଂଗ୍ରାମୀ ଜୀବନ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ କଥା ଚିଠି, ଫଟୋ ଓ ପୋଷ୍ଟର ଆକାରରେ ସ୍ଥାନ ପାଇଛି । ଏଠାରେ ଗାନ୍ଧୀଜୀଙ୍କ ଚରଖା ଓ ପୁରୀଘାଟ ସଭାର ଦରି ମଧ୍ୟ ପ୍ରଦର୍ଶିତ ହୋଇଛି । ଏହା ସାତ ଦିନ ଧରି ଚାଲିବ । ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ସକାଳ ଦଶଟାରୁ ରାତି ଦଶଟା ମଧ୍ୟରେ ବୁଲି ପାରିବେ । ଗାନ୍ଧୀଜି କଟକ ଗସ୍ତ ବେଳେ ସ୍ୱରାଜ ଆଶ୍ରମରେ ରାତ୍ରିଯାପନ କରିଥିବାରୁ ଶତବାର୍ଷିକୀ ଅବସରରେ ଏକ ଡାକ ଟିକେଟକୁ ସଂସ୍କୃତି ମନ୍ତ୍ରୀ ଉନ୍ମୋଚନ କରିବେ ବୋଲି ନିଷ୍ପତି ହୋଇଛି ।

Leave a Reply