ଟୁଲକିଟ୍ ମାମଲାରେ ଦିଶା ରବିଙ୍କୁ ମିଳିଲା ଜାମିନ୍

1 min read
Toolkit Case Disha Ravi Bail Plea Accepted

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍ ମାମଲାରେ ଦିଶା ରବିଙ୍କୁ ଜାମିନ୍ ମିଳିଛି । ପଟିଆଲା ହାଉସ୍ କୋର୍ଟ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଶନିବାର ଅଦାଲତ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ । ଆଜି ଅତିରିକ୍ତ ସେସନ୍ ଜଜ୍ ଧର୍ମେନ୍ଦର ରାଣା ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଦିଶାଙ୍କୁ ଜାମିନ୍ ଦେଇଛନ୍ତି ।

ପୂର୍ବରୁ ଦିଶାଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ । ଆଜି ଦିଶାଙ୍କୁ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ସହ ରିମାଣ୍ଡ ବୃଦ୍ଧି ପାଇଁ ପୋଲିସ ଆବେଦନ କରିଥିଲା । ରିମାଣ୍ଡ ବୃଦ୍ଧି ନେଇ ପୋଲିସ ଆବେଦନର ଶୁଣାଣି ବେଳେ ଦିଶା ରବିଙ୍କ ଓକିଲ କହିଥିଲେ ପଟିଆଲା ହାଉସ୍ କୋର୍ଟରୁ ଜାମିନ୍ ମିଳିଛି ।

Toolkit Case Disha Ravi Bail Plea Accepted

ଏହା ପୂର୍ବରୁ ସୋମବାର ଦିଲ୍ଲୀ ପୋଲିସ ଶାନ୍ତନୁ ଓ ନିକିତାଙ୍କୁ ପ୍ରାୟ ୭ ଘଣ୍ଟା ସାମ୍ନାସାମ୍ନି ବସାଇ ପଚରାଉଚରା କରିଥିଲା । ସୂତ୍ର ଅନୁସାରେ, ଦିଶାଙ୍କୁ ଜେରା ବେଳେ ମିଳିଥିବା ତଥ୍ୟ ଅନୁସାରେ ଶାନ୍ତନୁ ଓ ନିକିତାଙ୍କୁ ପଚରାଉଚରା କରାଯାଇଛି । ଶାନ୍ତନୁ ଓ ନିକିତା ୨୦୧୯-୨୦ରୁ ସମ୍ପର୍କରେ ଥିବାବେଳେ ଡିସେମ୍ବର ପ୍ରଥମ ସପ୍ତାହରୁ ପ୍ଲାନିଂ ଆରମ୍ଭ କରିଥିଲେ ।

ପୋଲିସ ସୂଚନା ଅନୁସାରେ, ଶାନ୍ତନୁ ଟୁଲକିଟ୍ ମାମଲାରେ ମୁଖ୍ୟ ଭୂମିକା ନିଭାଇଥିଲେ । କାରଣ ଟୁଲକିଟ୍ ଏକ ଗୁଗଲ ଡକ୍ୟୁମେଣ୍ଟ । ଯାହାକି ଶାନ୍ତନୁଙ୍କ ଇମେଲ୍ ଆକାଉଣ୍ଟରୁ ପ୍ରସ୍ତୁତ କରାଯାଇଥିଲା । ଏହି ଗୁଗଲ ଡକ୍ୟୁମେଣ୍ଟର ପ୍ରସ୍ତୁତକର୍ତ୍ତା ଶାନ୍ତନୁ ହୋଇଥିବା ବେଳେ ଅନ୍ୟମାନେ ଏଡିଟର ଥିଲେ । ଦିଲ୍ଲୀ ପୋଲିସ ଅନୁସାରେ ଦିଶା ରବି ସବୁଥି ପାଇଁ ଶାନ୍ତନୁ-ନିକିତାଙ୍କୁ ଦାୟୀ କରିଛନ୍ତି । ସେଥିପାଇଁ ତିନିଜଣଙ୍କୁ ମୁହାଁମୁହିଁ ଜେରା କରାଯିବା ଜରୁରୀ ବୋଲି ପୋଲିସ କହିଛି ।

Leave a Reply