ମହଙ୍ଗା ହେଲାଣି ହରଡ଼ ଡାଲି, ଦୁଇ ମାସରେ ୧୫ ପ୍ରତିଶତ ବଢ଼ିଲାଣି ଦର

ଭୁବନେଶ୍ୱର: ହରଡ଼ ଡାଲି ଦର ଦୁଇମାସରେ ୧୫ ପ୍ରତିଶତ ବଢିଛି । ଏବେ ହରଡ଼ ଡାଲି ପାଇକାରୀ ଦର କିଲୋ ପ୍ରତି ୧୨୮ରୁ ୧୪୩ ଟଙ୍କା ଅଛି । ଦୁଇ ମାସ ତଳେ ୧୧୦ରୁ ୧୨୫ ଟଙ୍କା ଥିଲା । ଦର ୧୫ ପ୍ରତିଶତ ବଢ଼ିଛି । ଏଥି ପାଇଁ କେନ୍ଦ୍ର ସରକାରଙ୍କ ପରିଚାଳନାଗତ ତ୍ରୁଟି ଦାୟୀ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି । କର୍ପୋରେଟ୍‌ ସଂସ୍ଥା ହୋର୍ଡିଂ କରୁଥିବାରୁ ଦର ବଢୁଛି । କିଛି ଦିନ ତଳେ କେନ୍ଦ୍ର ସରକାର ଗଚ୍ଛିତ ରଖିବାର ପରିମାଣ ଧାର୍ଯ୍ୟ କରିଛନ୍ତି । ଯାହା କର୍ପୋରେଟ୍‌ ସଂସ୍ଥାକୁ ସୁହାଇବା ପାଇଁ କରାଯାଇଛି । ଏପରି ହେଲେ ଦର ବଢ଼ି ଚାଲିବ ଓ ଖାଉଟି ହଇରାଣ ହେବେ । କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଚାପ ପକାଇ କର୍ପୋରେଟ ସଂସ୍ଥାଙ୍କୁ ଆଇନ ପରିସରକୁ ଆଣନ୍ତୁ । ସେମାନଙ୍କ ଗଚ୍ଛିତ ପରିମାଣ ସ୍ପଷ୍ଟ କରାଯାଉ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି ।

ସେପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ହରଡ଼ ଡାଲି ଦର ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ି ଚାଲିଛି । ଦର ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ଏହା ଜାତୀୟ ସମସ୍ୟା । କେହି ହୋର୍ଡିଂ କରୁଥିଲେ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।