ଜମୁଛି ତୋଷଳୀ ମେଳା: ମେଲିଛି ୫୫୦ କାରିଗରଙ୍କ ପସରା

1 min read

ଭୁବନେଶ୍ବର: ଶୀତୁଆ ସନ୍ଧ୍ୟାରେ ଜମୁଛି ତୋଷାଳୀ ମେଳା । ବିକ୍ରିବଟାର ପସରା ମେଲାଇଛନ୍ତି ୫୫୦ କାରିଗର । ଜନତା ମଇଦାନରେ ଆରମ୍ଭ ହୋଇଛି ୧୬ ତମ ତୋଷାଳୀ ମେଳା । ପ୍ରତିବର୍ଷ ଏହି ମେଳା ପଡୁଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜଧାନୀବାସୀ ।

ସନ୍ଧ୍ୟା ନଇଁଲେ ଜନତା ମଇଦାନରେ ଖଚାଖଚ ଭିଡ଼ । ବିକ୍ରିବଟା ସାଙ୍ଗକୁ ନାଚଗୀତର ଆସର । ଘର କରଣାଠାରୁ ଆରମ୍ଭ କରି ଲୁଗାପଟା, ଟେରାକୋଟା, କାଠ କାମ, ହସ୍ତତନ୍ତ, ପିଲାଙ୍କ ଖେଳନାର ସମ୍ଭାର ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ପ୍ରତିବର୍ଷ ମେଳାରେ ନୂଆ ନୂଆ ସାମଗ୍ରୀ ମିଳୁଥିବାରୁ ଗ୍ରାହକମାନେ ବେଶ ପସନ୍ଦ କରୁଛନ୍ତି । ସେପଟେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଭଲ ବେପାର ହେବା ନେଇ ଆଶା ବାନ୍ଧିଛନ୍ତି ବେବସାୟୀ ।

ମେଳାରେ ସମସ୍ତ ପ୍ରକାର ଜିନିଷ ଉପଲବ୍ଧ ହେଉଥିବା ବେଳେ ବିଶେଷ କରି ହାତ ତିଆରି ଘରକରଣା ଓ ପଟଚିତ୍ର ଲୋକଙ୍କ ଆକର୍ଷଣ ସାଜିଛି l ଦଶ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ ଏଠାରେ ଉପଲବ୍ଧ ହେଉଛି  l ଜିନିଷ କିଣାକିଣି ସହ ସନ୍ଧ୍ୟା ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଲୁଟୁଛନ୍ତି ରାଜଧାନୀବାସୀ । ୨୯ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବାକୁ ଥିବାରୁ ଆଗାମୀ ଦିନରେ ଭିଡ଼ ଅଧିକ ହେବା ଆଶା କରାଯାଉଛି ।