କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ବିରୋଧରେ ଗର୍ଜିଲେ ଶ୍ରମିକ ସଙ୍ଗଠନ

ନନ୍ଦିଘୋଷ ବ୍ୟୁରୋ: ସହି ହେଲାନି କଷଣ । କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରର ଶ୍ରମିକ ବିରୋଧୀ କାର୍ଯ୍ୟ ବିରୋଧରେ ରାସ୍ତାରେ ଗର୍ଜିଲେ ଶ୍ରମିକ ସଂଗଠନ । ସାରା ଦେଶରେ ଏହି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ହୋଇଛି । ଭୁବନେଶ୍ୱର ଲୋୟର ପିଏମଜିରେ ଶ୍ରମିକ ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଚାରୋଟି ଶ୍ରମ କୋଡ୍ ପ୍ରତ୍ୟାହାର, ସମାନ କାମକୁ ସମାନ ମଜୁରୀ ଆଦି ନେଇ ବିକ୍ଷୋଭ କରିଛନ୍ତି । ତୁରନ୍ତ ସରକାର ଦାବି ନ ମାନିଲେ ଆସନ୍ତା ଜୁଲାଇ ୯ ତାରିଖରେ ଚକ ଅଖ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ରାଜରାସ୍ତାରେ ଶ୍ରମିକ ସଂଗଠନଙ୍କ ରଣହୁଙ୍କାର । ଭୁବନେଶ୍ଵର ପିଏମଜିରେ ପ୍ରମୁଖ ଶ୍ରମିକ ସଂଗଠନ ଏକାଠି । ଦାବି ପୂରଣ ନହେଲେ ଜୁଲାଇ ୯ରେ ଦେଶବ୍ୟାପୀ ହରତାଳ । ଶ୍ରମିକଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟ ପାଇଁ ସରକାରଙ୍କ ବିରୋଧରେ ଶ୍ରମିକ ସଂଗଠନର ମିଳିତ ଆନ୍ଦୋଳନ । ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ୍ ପ୍ରତ୍ୟାହାର, ଦେଶରେ ଶ୍ରମିକଙ୍କୁ ସମାନ କାମକୁ ସମାନ ମଜୁରୀ, ଶ୍ରମିକଙ୍କୁ ଛଟେଇ ଓ ଅତ୍ୟାଚାର ବନ୍ଦ କରିବା ଦାବିରେ ପ୍ରମୁଖ ଶ୍ରମିକ ସଂଗଠନ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରିଛନ୍ତି ।
ସେହିପରି ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ବିକ୍ଷୋଭ ପ୍ରଦର୍ଶନରେ ଆଇଏନଟିୟୁସି ଏଆଇଟିୟୁସି, ଏଚଏମଏସ, ସିଟୁ, ଟିୟୁସିସି, ଏଲପିଏଫ ସମେତ ବହୁ ଟ୍ରେଡ୍ ୟୁନିୟନର ଶତାଧିକ କାର୍ଯ୍ୟକର୍ତ୍ତା ଓ ଶ୍ରମିକ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ଆସି ପିଏମଜିରେ ବିକ୍ଷୋଭ ସମାବେଶ ହୋଇଥିଲା । ରାଜ୍ୟରେ ବିଜେପି ସରକାର ଆସିବା ପରେ ଶ୍ରମିକ ମାରଣ ନୀତି ଆପଣାଇଛନ୍ତି । ଡବଲ ଇଞ୍ଜିନ ସରକାର ତୁରନ୍ତ ଶ୍ରମିକଙ୍କ ଦାବି ପୂରଣ ନକଲେ ଆସନ୍ତା ଜୁଲାଇରେ ଦେଶବ୍ୟାପୀ ହରତାଳ ଡାକରା ଦେଇଛନ୍ତି ଟ୍ରେଡ୍ ୟୁନିୟନ ।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଡବଲ ଇଞ୍ଜିନ କଥା କହୁଥିଲେ ମଧ୍ୟ ଶ୍ରମିକଙ୍କ ଉପରେ ଜୁଲମ ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ ସମ୍ପତ୍ତିର ଘରୋଇକରଣ ବନ୍ଦ କରିବାକୁ ଜୋରଦାର ଦାବି ହୋଇଛି । ଏଥିସହିତ ନରେଗାରେ ୨୦୦ ଦିନର କାର୍ଯ୍ୟ ପାଇଁ ମଧ୍ୟ ଶ୍ରମିକ ସଂଗଠନଗୁଡ଼ିକ ଦୃଢ଼ ଦାବି ରଖିଛନ୍ତି । ଶ୍ରମ କୋଡ୍ ଲାଗୁ କଲେ ଶ୍ରମିକମାନେ ନିଜର ନାର୍ଯ୍ୟ ଅଧିକାର ପାଇବା ପାଇଁ ଆନ୍ଦୋଳନର ସୁଯୋଗ ହରାଇବେ । ତେଣୁ ଏହି ଶ୍ରମ କୋଡ୍ ଲାଗୁ ପାଇଁ ଉଦ୍ୟମ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦିଆଯାଇଛି ।