ଭାରତ ବନ୍ଦର ଭୟଙ୍କର ଚିତ୍ର, ଘଣ୍ଟାଘଣ୍ଟା ଅଟକିଲେ ଶହଶହ ଗାଡି

1 min read

ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ଯୋଜନା ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ହାଇଆଲର୍ଟରେ ଆରପିଏଫ୍ ଓ ଜିଆରପି । ଫଳରେ ୫୨୯ଟି ଟ୍ରେନକୁ ବାତିଲ କରାଯାଇଛି ।

ୟୁପିର ନୋଏଡା ଓ ରାଜସ୍ଥାନ ଜୟପୁର ସମେତ ଦେଶର ଅନ୍ୟ ବଡ ସହରରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଛି  । ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ଓ ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସ ମଧ୍ୟ ଆଜି ସମଗ୍ର ଦେଶରେ ଶାନ୍ତିପୂର୍ଣ୍ଣ ବିରୋଧ କରୁଛି । କଂଗ୍ରେସର ପ୍ରଦର୍ଶନକୁ ଦେଖି ଦିଲ୍ଲୀ ସରକାର ଟ୍ରାଫିକ ଆଡଭାଇଜରୀ ଜାରି କରିଛନ୍ତି  । ମାତ୍ର ଭାରତ ବନ୍ଦର ଭୟଙ୍କର ଚିତ୍ର ଆଜି ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ।

ନୋଏଡାରୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି ।ନୋଏଡା ଏକ୍ସପ୍ରେସ ୱେରେ ମହାମାୟା ପୁଲ ଠାରୁ ନୋଏଡା ଗେଟ ପର୍ଯ୍ୟନ୍ତ ପାଖାପାଖି ୨ କିଲୋମିଟର ଲମ୍ବା ଜାମ୍‌ ଲାଗି ରହିଛି  । ସେହିପରି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଜାମ୍‌ କାରଣରୁ ଲୋକଙ୍କୁ ନାକେଦମ ହେବାକୁ ପଡିଛି  । ଘଣ୍ଟାଘଣ୍ଟା ଧରି ରାସ୍ତାରେ ଧାଡ଼ି କରି ଅଟକି ରହିଛନ୍ତି ଗାଡି । ଦିଲ୍ଲୀ ଆସୁଥିବା ଗାଡି ଗୁଡିକର କଡା ଚେକିଂ ଚାଲିଥିବାରୁ ଏଭଳି ଭୟଙ୍କର ଟ୍ରାଫିକ ସମସ୍ୟା ଉପୁଜିଛି  ।

ଅଗ୍ନିପଥ ଯୋଜନା ବିରୋଧରେ ଭାରତ ବନ୍ଦକୁ ନଜରରେ ରଖି ୟୁପି ପୋଲିସ ମଧ୍ୟ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିଛି  । ଫଳରେ ନୋଏଡା-ଦିଲ୍ଲୀ ଲିଙ୍କ ରୋଡ ସ୍ଥିତ ଚିଲ୍ଲା ବର୍ଡରରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ଅନେକ ରାଜ୍ୟରେ ବ୍ୟାପକ ବିକ୍ଷୋଭ କରୁଛନ୍ତି ଆଶାୟୀ । ଏପଟେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଅଗ୍ନିପଥକୁ ବିରୋଧ ଆଶଙ୍କାରେ ଆଲର୍ଟ ମୋଡ଼ରେ ରହିଛି ପ୍ରଶାସନ । ରାଜଧାନୀ ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଓ ପଳାଶୁଣି, ରସୁଲଗଡ଼, ଖଣ୍ଡଗିର, ବରମୁଣ୍ଡା ଆଦି ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ସଜାଗ ରହିଛି ପୋଲିସ । ସାରା ରାଜଧାନୀର ବିଭିନ୍ନ ଛକରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।