spot_img

Latest Posts

ଅଧାରେ ରହିଲା ସାଉଦି ଆରବ ହଜ୍ ଯାତ୍ରା, ଡିସକାଉଣ୍ଟରେ କରାଇ ଦେବାକୁ କହି ୭୨ ଲକ୍ଷ ଲୁଟି ନେଲା ଠକ

ଅଧାରେ ରହିଲା ସାଉଦି ଆରବ ହଜ୍ ଯାତ୍ରା, ଡିସକାଉଣ୍ଟରେ କରାଇ ଦେବାକୁ କହି ୭୨ ଲକ୍ଷ ଲୁଟି ନେଲା ଠକ

ନନ୍ଦିଘୋଷ ବ୍ୟୁରୋ: ଅଧାରେ ରହିଲା ସାଉଦି ଆରବ ହଜ୍ ଯାତ୍ରା । ଭକ୍ତି ଭାବରେ ବିଷ ଭରି ଦେଲା ଠକ । ଟ୍ରାଭେଲ ଏଜେନ୍ସି ମାଲିକଙ୍କଠାରୁ ଲୁଟି ନେଲା ୭୨ ଲକ୍ଷ ଟଙ୍କା । ଭୁବନେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହେଲେ ଠକେଇର ଶିକାର ବ୍ୟକ୍ତି । ସେପଟେ ପ୍ରି ଆକ୍ଟିଭେଟେଡ ସିମ ଜରିଆରେ ଠକେଇ ବଢୁଥିବା ନେଇ ଉଦବେଗ ।

ତୀର୍ଥ ଯାତ୍ରା କରାଇବା ନାଁରେ ୭୨ ଲକ୍ଷ ଠକେଇ । କାଳ ହେଲା ସାଉଦି ଆରବକୁ ହଜ୍ ଯାତ୍ରା । ଟ୍ରାଭେଲ ଏଜେନ୍ସି ମାଲିକ ଥାନାର ଦ୍ୱାରସ୍ଥ । ଫେକ ସିମ୍ ଜରିଆରେ ସାରା ଦେଶରେ ବଢୁଛି ଠକେଇ ।

ନାଁ ମହମ୍ମଦ ସଲମାନ । ୟୁନିଟ ୪ରେ ମହମ୍ମଦଙ୍କର ଏକ ଟ୍ରାଭେଲ ଏଜେନ୍ସି ରହିଛି । ହଜ୍ ଯାତ୍ରା ପାଇଁ ୧୧୨ ଜଣଙ୍କୁ ସାଉଦି ଆରବ ନେବା ପାଇଁ ଟଙ୍କା କଲେକ୍ସନ କରିଥିଲେ । ଏହାପରେ ଗୁଗୁଲରେ ସାଉଦି ଆରବର ଟ୍ରାଭେଲ ଏଜେନ୍ସିକୁ ଭିସା ଓ ହୋଟେଲ ବୁକିଂ ପାଇଁ ଯୋଗାଯୋଗ କରିବା ବେଳେ ଜଣେ ଡିସକାଉଣ୍ଟରେ ସୁବିଧା କରି ଦେବେ ବୋଲି ଫୋନ ଯୋଗେ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶୃତି ମୁତାବକ ୧୧୨ ଜଣଙ୍କୁ ନେଇ ମୁମ୍ବାଇ ଏୟାରପୋର୍ଟରେ ପହଁଚିବା ପରେ ନା ଥିଲା ଭିସାର ଯୋଗାଡ଼ ନା ଥିଲା ହୋଟେଲ ବୁକିଂ । ଓଲଟା ଆକାଉଣ୍ଟରୁ କଟି ଚାଲିଥିଲା ଟଙ୍କା । ନିରାଶ ହୋଇ ଫେରିବା ପରେ ମହମ୍ମଦ ସଲମାନ ଭୁବନେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସମୁଦାୟ ୭୨ ଲକ୍ଷ ହରାଇବା ପରେ ଘରେ ସୁନା ଅଳଙ୍କାର ବିକ୍ରି କରି ଲୋକଙ୍କ ଟଙ୍କା ସୁଝିଥିବା କ୍ଷୋଭର ସହ କହିଛନ୍ତି ।

ଇଣ୍ଡିଆନ ସାଇବର କ୍ରାଇମ କୋର୍ଡ଼ିନେସନରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗ, ଆସାମ ସମେତ ଓଡ଼ିଶା ପାଲଟିଛି ଫେକ ସିମର ହବ । ପ୍ରତିଦିନ ଦେଶରେ ପାଖାପାଖି ୭୦ ହଜାର ସାଇବର ସମ୍ପର୍କିତ ଅଭିଯୋଗ ଆସୁଥିବା ବେଳେ ଅଧିକାଂଶ ଫେକ ସିମ୍ ଦ୍ୱାରା ଅପରେଟ କରାଯାଉଛି । ଓଡ଼ିଶାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଟ୍ରାଇ ଓ ମୋବାଇଲ କମ୍ପାନୀ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ମଧ୍ୟ ରାସ୍ତା କଡ଼ରେ ଛତୁ ଫୁଟିବା ଭଳି ହେଉଛି ସିମ୍ ବିକ୍ରି । ଯାହାର ଫାଇଦା ନେଇ ଲୋନ ଫ୍ରଡ଼, ନ୍ୟୁଡ କଲ, ଡିଜିଟାଲ ଆରେଷ୍ଟ ଭଳି ସଙ୍ଗିନ ଘଟଣା ଘଟାଉଛନ୍ତି ଅପରାଧୀ । ସେପଟେ ଟ୍ରାଭେଲ ଏଜେନ୍ସି ଜରିଆରେ ଠକେଇର ଶିକାର ହେବା ପରେ ନ୍ୟାୟ ଆଶାରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହମ୍ମଦ ସଲମାନ । କଷ୍ଟମର କେୟାର, ରିଫଣ୍ଡ , ଅନଲାଇନ ବୁକିଂ, କେୱାଇସି, ସେକ୍ସର୍ଟସନ ଭଳି ସାଇବର ଫ୍ରଡ଼ରେ ମାତ୍ରାଧିକ ବେନାମୀ ସିମ୍ ର ବ୍ୟବହାର ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଥିବା କହିଛନ୍ତି ବିଶେଷଜ୍ଞ ।

Latest Posts

Don't Miss