ବ୍ରହ୍ମପୁରରୁ ଆରମ୍ଭ ହେଲା ତୀର୍ଥଯାତ୍ରା ଯୋଜନା

ବ୍ରହ୍ମପୁର: ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା । ଏବର୍ଷ ବ୍ରହ୍ମପୁରରୁ ଆରମ୍ଭ ହୋଇଛି ଅଭିଯାନ । ପାଞ୍ଚଟି ଜିଲ୍ଲାର ମୋଟ ୯୭୦ ଜଣ ବରିଷ୍ଠ ନାଗରିକ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୫୪୮, ନୟାଗଡ଼ ଜିଲ୍ଲାରୁ ୧୫୦,  ଗଜପତି ଜିଲ୍ଲାରୁ ୯୦, କନ୍ଧମାଳ ଜିଲ୍ଲାରୁ ୧୧୪  ଓ ବୌଦ୍ଧ ଜିଲ୍ଲାରୁ ୬୮ ଜଣ ସାମିଲ ଅଛନ୍ତି । କନ୍ୟାକୁମାରୀରୁ ତିରୁବନନ୍ତପୁରମ ଯାଏ ୫ଦିନ ଧରି ତୀର୍ଥ ଭ୍ରମଣ କରିବେ । ବ୍ରହ୍ମପୁର ରେଳ ଷ୍ଟେସନରେ ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି, ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଶୋଇ,  ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଏବଂ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ, ଜିଲ୍ଲା ପରିଷଦ ସଭାପତି, ଓ ବହୁ ପ୍ରଶାସନିକ ଅଧିକାରୀ ତୀର୍ଥଯାତ୍ରୀମାନଙ୍କୁ ସ୍ବାଗତ କରି ଶୁଭେଚ୍ଛା ଜଣାଇଥିଲେ । ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଯିବା ଆସିବା, ରହିବା ଓ ଭ୍ରମଣ ବ୍ୟବସ୍ଥା ବିନା ମୂଲ୍ୟରେ କରାଯାଇଛି ।