ହେଲମେଟ୍‌ ନପିନ୍ଧିବା ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ନାଁରେ ୧୦୦୦ ଟଙ୍କାର ଚାଲାଣ

ଗଞ୍ଜାମ: ପୁଣି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଟ୍ରାଫିକ୍‌ ପୋଲିସର ପାରିବା ପଣିଆ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତବର୍ଷ କରୋନା ମହାମରୀ ପୂର୍ବରୁ ରାଜ୍ୟରେ ତଥା ଦେଶରେ ନୂଆ ଟ୍ରାଫିକ୍‌ ନିୟମକୁ କଡ଼ା କଡ଼ି କରାଯାଇଥିଲା । ରାସ୍ତାଘାଟ ଗଳିକନ୍ଦି ଯୋଉଠି ଦେଖ ପୋଲିସ ଭାଇ ମାନେ ଚେକିଂ କରୁଥିବା ଦେଖାଯାଉଥିଲେ । ହେଲେ ପରେ କରୋନା କାରଣରୁ ସବୁ ବନ୍ଦ ଥିଲା । କିନ୍ତୁ ଏବେ କରୋନା ତଥା ଲକ୍‌ଡାଉନ୍‌ ହଟିବା ପରେ ଏବେ ରାଜ୍ୟରେ ପୁଣି ଗାଡ଼ି ଚେକିଂକୁ ଜୋରଦାର କରାଯାଇଛି ।

ହେଲେ ଯଥା ପୂର୍ବଂ ତଥା ପରଂ । ପୋଲିସ ଗତ ବର୍ଷ ଯେମିତି ମନମାନି କରୁଥିଲା ଏବଂ ଗାଡ଼ି ଚାଳକଙ୍କୁ ମନ ଇଚ୍ଛା ଚାଳାଣ କାଟୁଥିଲା ଠିକ୍‌ ସେମିତି ଚଳିତ ବର୍ଷ ମଧ୍ୟ କରୁଛି । ଆଇନକୁ ସୁରକ୍ଷା ଦେବା ପାଇଁ ପୋଲିସ ରହିଛି ସତ ହେଲେ, ପୋଲିସ ନିଜେ ଆଇନ କ’ଣ ଜାଣି ନାହିଁ । ଏଭଳି ଏକ ଉଦାହରଣ ପୁଣି ସାମ୍ନାକୁ ଆସିଛି ଗଞ୍ଜାମରୁ ।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ଟ୍ରକ ଡ୍ରାଇଭରଙ୍କ ବିରୋଧରେ କଟାଯାଇଛି ୧୦୦୦ ଟଙ୍କାର ଚାଲାଣ । ଆଉ ତାହା ପୁଣି ବିନା ହେଲମେଟ୍‌ ଯୋଗୁଁ । ତେବେ ଏଠି ପ୍ରଶ୍ନ ଉଠୁଛି ଟ୍ରକ୍‌ ଡ୍ରାଇଭର କାହିଁକି ବା ହେଲ୍‌ମେଟ୍‌ ପିନ୍ଧିବେ । ଟ୍ରକ୍‌ ଚଲାଉଥିବା ବେଳେ ଜଣେ ଟ୍ରକ୍ ଡ୍ରାଇଭର ହେଲ୍‌ମେଟ୍‌ ପିନ୍ଧିବାକୁ ବାଧ୍ୟ ବୋଲି କୌଣସି ନିୟମ ରହିଛି କି ? ଯଦି ଏଭଳି କୌଣସି ନିୟମ ନାହିଁ ତେବେ ଟ୍ରକ୍‌ ଡ୍ରାଇଭରଙ୍କୁ କାହିଁକି ୧୦୦୦ ଟଙ୍କାର ଚାଲାଣ କଟାଗଲା ? କେଉଁ ପରିସ୍ଥିତିରେ ଏହି ଚାଲାଣ କଟଗଲା ସେନେଇ ଏବେ ପ୍ରଶ୍ନ ଉଠିଛି ।

୨୪ ଡିସେମ୍ବର ୨୦୨୦ରେ ଏହି ଚାଲାଣ କଟାଯାଇଥିଲା । କିନ୍ତୁ ଏନେଇ ଟ୍ରକ୍‌ଡ୍ରାଇଭର ଅଜ୍ଞ ଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ,ସେ ନିଜ ଟ୍ରକ୍‌ର ପରମିଟ୍‌ ଆଣିବା ପାଇଁ ଆର୍‌ଟିଓ ଅଫିସ୍‌କୁ ଯାଇଥିଲେ । ସେଠାରେ ତାଙ୍କ ବିରୋଧରେ ଏଭଳି ଚାଲାଣ କଟାଯାଇଥିବା ସେ ଜାଣିବାକୁ ପାଇ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ଏନେଇ ସୂଚନା ଦେଇଛନ୍ତି ଖୋଦ ଟ୍ରକ୍‌ ଡ୍ରାଇଭର ପ୍ରମୋଦ କୁମାର ସ୍ୱାଇଁ ।

Leave a Reply