ଟାରିଫ ଲଗାଇବା ପରେ ଟ୍ରମ୍ପ ଲଗାଇଲେଣି ୪ ଥର ଫୋନ୍, ହେଲେ ମୋଦି ଉଠାଉ ନାହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ଟାରିଫ ଓ୍ବାର୍ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଋଷର ନାଁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସ୍ତରରେ ପହଞ୍ଚିଛି । ଭାରତ, ଟ୍ରମ୍ପଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ଜବାବ ଦେବାରେ ଲାଗିଛି । ଏହାସହ ଭାରତ, ଆମେରିକା ବଜାରର ବିକଳ୍ପ ଖୋଜିବାରେ ଲାଗିଛି । ଏହାରି ଭିତରେ ଡେନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦିଙ୍କୁ ନେଇ ଏମିତି ଏକ ଖବର ଆସିଛି, ଯାହା ସାରା ବିଶ୍ବରେ ଚର୍ଚ୍ଚାର କାରଣ ପାଲଟିଛି ।
ସମସ୍ତେ ଜାଣିଛନ୍ତି, ଡେନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି ଭଲ ବନ୍ଧୁ । ହେଲେ ଟ୍ରମ୍ପଙ୍କ ଟାରିଫ ପରେ ଏହି ସମ୍ପର୍କରେ ଆଗ ଭଳି ମଧୁରତା ନାହିଁ । ସ୍ଥିତି ଏମିତି ହେଲାଣି ଯେ, ଟ୍ରମ୍ପଙ୍କ ସହ ମୋଦି କଥା ହେବାକୁ ବି ଚାହୁଁ ନାହାନ୍ତି । ଏହା ଆମେ କହୁନାହୁଁ । ଏପରି ଦାବି କରିଛି ଜର୍ମାନୀର ଏକ ପ୍ରତିଷ୍ଠିତ ଖବର କାଗଜ । ଉକ୍ତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟାରିଫ ବିବାଦ ମଧ୍ୟରେ ଟ୍ରମ୍ପ, ମୋଦିଙ୍କୁ ୪ ଥର ଫୋନ କରିଛନ୍ତି । ହେଲେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଫୋନ ଉଠାଇଲେନି କି ପରେ ଫୋନ କରି ତାଙ୍କ ସହ କଥା ହେଲେନି । ତେବେ ଏହି ଘଟଣାରେ ଉଭୟ ଆମେରିକା ଓ ଭାରତ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନି ।
ଜେଡି ଭେନ୍ସଙ୍କ ଫୋନ ବି ଉଠାଇ ନଥିଲେ ମୋଦି
ତେବେ ମୋଦି ଆମେରିକାର କୌଣସି ନେତାଙ୍କ ଫୋନ ନଉଠାଇବା ପ୍ରଥମ ଘଟଣା ନୁହେଁ । ଲୋକସଭାରେ ମୋଦି ପାକିସ୍ତାନ ସହ ସଂଘର୍ଷ ଘଟଣାକୁ ନେଇ ସୂଚନା ଦେବା ବେଳେ କହିଥିଲେ ଯୁଦ୍ଧବିରତିର ଦିନକ ପୂର୍ବରୁ ଅର୍ଥାତ ମେ’ ୯ ତାରିଖ ରାତିରେ ଆମେରିକା ଉପରାଷ୍ଟ୍ରପତି ୩ରୁ ୪ ଥର ମୋ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ । ହେଲେ ମୁଁ ସେନା ଅଧିକାରୀଙ୍କ ସହ ବୈଠକରେ ଥିବାରୁ ଫୋନ ଉଠାଇ ନଥିଲି । ମୋଦି ଆଗକୁ କହିଥିଲେ, ମୁଁ ଯେତେବେଳେ ତାଙ୍କୁ ଫୋନ କରିଥିଲି, ପାକିସ୍ତାନ ପକଟରୁ ଏକ ବଡ଼ ଆକ୍ରମଣ କରାଯିବା ନେଇ ଆମେରିକା ଉପରାଷ୍ଟ୍ରପତି ମୋତେ ସୂଚନା ଦେଇଥିଲେ । ମୁଁ ତାଙ୍କୁ କହିଥିଲି ଯଦି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବ, ତେବେ ଆମ ପ୍ରତିଆକ୍ରମଣ ଭୟଙ୍କର ହେବ । କାରଣ ଆମେ ଗୁଳିର ଜବାବ ଗୁଳିରେ ଦେବୁ ।