ବନ୍ଦ ହେବ ତାଳଚେର ଥର୍ମାଲ ପାଓ୍ୱାର ଷ୍ଟେସନ୍

1 min read

ଅନୁଗୁଳ: ଏନ୍‌ଟିପିସି ପରିଚାଳିତ ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍‌)କୁ ନେଇ ଲାଗି ରହିଥିବା ନାନା କଳ୍ପନାଜଳ୍ପନାର ଏକ ପ୍ରକାର ଅନ୍ତଃ ଘଟାଇଛନ୍ତି ଏନ୍‌ଟିପିସି କର୍ତ୍ତୃପକ୍ଷ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ୩୧ ତାରିଖରୁ  ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୟୁନିଟ୍‌ ଗୁଡ଼ିକୁ ବିଧିବଦ୍ଧ ଭାବେ ବନ୍ଦ କରାଯିବ ବୋଲି କମ୍ପାନୀ ନିଷ୍ପତ୍ତି ନେଇଛି । ଏନେଇ ଏନ୍‌ଟିପିସି ସେକ୍ରେଟାରୀ ନନ୍ଦିନୀ ସରକାର କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇ ଦେଇଛନ୍ତି । ତେବେ ଟିଟିପିଏସ୍‌ରେ ଷ୍ଟେଜ-୩ ୟୁନିଟ୍‌ ସ୍ଥାପନ ସମ୍ପର୍କରେ ଏନ୍‌ଟିପିସି କର୍ତ୍ତୃପକ୍ଷ କିଛି ଉଲ୍ଲେଖ କରି ନଥିବା ସୂଚନା ମିଳିଛି । ଆଜି ସକାଳୁ ପ୍ଲାଣ୍ଟର ସମସ୍ତ ୟୁନିଟ ବନ୍ଦ କରାଯାଇଥିବା ଦେଖାଯାଇଛି । ପ୍ଲାଣ୍ଟରେ ଥିବା ୬ଟି ଯାକ ୟୁନିଟରୁ ବିଦ୍ୟୁତ ଉତ୍ପାଦନ ଠପ୍ ହୋଇଯାଇଛି । ସୂଚନା ଅନୁସାରେ , କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପାଳନ କରିନଥିବାରୁ ମାର୍ଚ୍ଚ ୩୧ ପରଠାରୁ ଟିଟିପିଏସ୍‌ ପରିଚାଳନା ପାଇଁ ଏନ୍‌ଟିପିସିକୁ ଅନୁମତି ମିଳିନାହିଁ । ତେବେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଗତ ୨୨ ତାରିଖ ରାତିରୁ ଏନ୍‌ଟିପିସି କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ଟିଟିପିଏସ୍‌ର ୬ଟି ୟୁନିଟ୍‌କୁ ବନ୍ଦ କରିଦେଇଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଷ୍ଟେଜ୍‌-୩ ପ୍ରକଳ୍ପ ସ୍ଥାପନ କରିବାକୁ ଅନୁମୋଦନ ଦେଇସାରିଥିବାରୁ ତୁରନ୍ତ ଉକ୍ତ କାର୍ଯ୍ୟ ଆରମ୍ଭ ନିମନ୍ତେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ. ସିଂଙ୍କୁ ମୁଖ୍ୟମନ୍ତ୍ରୀ ଗତ ୨୪ ତାରିଖରେ ଚିଠି ଲେଖିଥିଲେ । ଏହା ସତ୍ୱେ କେନ୍ଦ୍ର ସରକାର ନା ପରିବେଶ ମଞ୍ଜୁରୀ ଦେଇଛନ୍ତି ନା ପ୍ଲାଣ୍ଟର ସମ୍ପ୍ରସାରଣ ଏବଂ ନବୀକରଣ କରାଇଛନ୍ତି । ଯାହା ଫଳରେ କମ୍ପାନୀ କର୍ତ୍ତୃପକ୍ଷ ଆଜି ପ୍ଲାଣ୍ଟକୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି  ।

Leave a Reply