ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ସେ କହିଛନ୍ତି, ୨୦୨୦ ମସିହାରେ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ରାଜ୍ୟବାସୀଙ୍କ ଠାରୁ ଏପରିକି ଖାସ କରି ଗଂଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ବହୁ ନିରୀହ ଯୁବକଙ୍କଠାରୁ ପ୍ରଦୀପ ଟଙ୍କା ଲୁଟିଛନ୍ତି । ଟାଟା ମୋଟର୍ସ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏତଲା କ୍ରମେ କମ୍ପାନୀର ଇମେଲ ଆଇଡିକୁ ଜାଲ କରି ନିଜକୁ କମ୍ପାନୀର ଏମଡି ଭାବେ ଦର୍ଶାଇ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ପାଠକ ଲୋକଙ୍କୁ ଠକିବାରେ ସଫଳ ହୋଇଥିଲେ।  ଏହି ମାମଲା ବିଚାରାଧୀନ ରହିଛି। ମାମଲାରେ ପ୍ରଦୀପ ପାଣିଗ୍ରାହୀ ଜେଲ ଯାଇ ଜରିମାନା ଅର୍ଥ ପୈଠ କରି କୋର୍ଟଙ୍କଠାରୁ ସର୍ତ୍ତମୂଳକ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି।

କୋର୍ଟଙ୍କ ସର୍ତ୍ତ ଥିଲା ଧାର୍ଯ୍ୟ ଦିନରେ କୋର୍ଟରେ ବ୍ୟକ୍ତିଗତ ହାଜର ହେବେ ଓ ମାମଲା ସଂକ୍ରାନ୍ତୀୟ କୌଣସି ବିବୃତି ଗଣମାଧ୍ୟମରେ ରଖିବେ ନାହିଁ । ତେବେ ସେ କୋର୍ଟଙ୍କ ଏହି ସର୍ତ୍ତକୁ ବାରମ୍ବାର ଅବମାନନା କରୁଥିବା ଦେଖାଯାଉଛି। ବିଭିନ୍ନ ଗଣମାଧ୍ୟମରେ ବିବୃତି ଦେବା ସହ ବର୍ତ୍ତମାନ ସୁଦ୍ଧା ୪ରୁ ୫ଟି ଧାର୍ଯ୍ୟ ତାରିଖରେ କୋର୍ଟରେ ବ୍ୟକ୍ତିଗତ ହାଜର ହୋଇନାହାନ୍ତି।  ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ପ୍ରଦୀପ ପାଣିଗ୍ରାହୀ କୋର୍ଟଙ୍କୁ ତଥା ବିଚାର ବିଭାଗୀୟ ବ୍ୟବସ୍ଥାକୁ ସମ୍ମାନ ଦେଉନାହାନ୍ତି। ଠକେଇ, ଜାଲିଆତି ଓ ଜାଲ ଦସ୍ତାବିଜ ପ୍ରସ୍ତୁତି କରିବା ଓ ସେଗୁଡିକର ଉପଯୋଗ କରିବା ଆଦି ମାମଲା ରହିଛି। ତେବେ ବର୍ତ୍ତମାନ ସେ କୋର୍ଟଙ୍କ ସର୍ତ୍ତକୁ ଅବମାନନା କରୁଥିବା ଜଣେ ଆସାମୀ ବୋଲି ବିଜେଡି ବିବେଚନା କରୁଛି ବୋଲି ତୁମ୍ବନାଥ ପଣ୍ଡା କହିଛନ୍ତି।