ପ୍ରଳୟଙ୍କରୀ ଭୂକମ୍ପରେ ଥରିଲା ତୁର୍କୀ ଓ ସିରିଆ। ପ୍ରକୃତି କୋପରେ ଭୟଙ୍କର ବିପର୍ଯ୍ୟୟର ସାମ୍ନା କଲା ଦୁଇ ରାଷ୍ଟ୍ର। ଏବେ ଧ୍ବସ୍ତ ବିଧ୍ବସ୍ତ ସହରକୁ ସଜାଡିବାରେ ବ୍ୟସ୍ତ ଲୋକେ। ୫୦ଟି ଦେଶରୁ ଆସୁଛି ସହାୟତା। ଭାରତରୁ ମଧ୍ୟ ଏନଡିଆରଏଫ ଟିମ୍ ସହାୟତା ନେଇ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ତୁର୍କୀ ଓ ସିରିଆରେ ୭,୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ଗୁରୁତର ହୋଇଛନ୍ତି।
ଅନେକ ଲୋକଙ୍କର ମାଟି ତଳେ ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି । ସିରିଆରେ ମଧ୍ୟ ପ୍ରକୃତିର କରାଳ ରୂପ କିଛି କମ୍ ନୁହେଁ। ଉଭୟ ଦେଶରେ ବଡ଼ ବଡ଼ କୋଠା ଧରାଶାୟୀ ହୋଇଛି। ଟନ୍ ଟନ୍ ଭଗ୍ନାଂଶ ତଳେ ଜୀବନ ଚାପି ହୋଇଯାଇଛି । ଏବେ ବି ହଜାର ହଜାର ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ମୃତଦେହ ଗଣି ଗଣି ନୟାନ୍ତ ହେଲେଣି ଉଦ୍ଧାରକାରୀ ଟିମ୍।

ପ୍ରକୃତି ଏଭଳି ତାଣ୍ଡବରେ ତୁର୍କୀର ୧୦ଟି ରାଜ୍ୟରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଛି। ଏଥିପାଇଁ ୩ ମାସ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି ସରକାର। ଭୂମିକମ୍ପରେ ତୁର୍କୀର ବିଭିନ୍ନ ଐତିହାସିକ ସ୍ଥଳି ଶ୍ମଶାନ ପାଲଟିଛି।

