ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’: ବିଶିଷ୍ଟ ଅଭିନେତା ପଙ୍କଜ ଧୀରଙ୍କ ପରଲୋକ

ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ଜଣାଶୁଣା ଟିଭି ଓ ଫିଲ୍ମ ଅଭିନେତା ପଙ୍କଜ ଧୀର ଆଉ ନାହାନ୍ତି । ବିଆର ଚୋପ୍ରାଙ୍କ ମହାଭାରତରେ ’କର୍ଣ୍ଣ’ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଟିଥିବା ବିଶିଷ୍ଟ ଅଭିନେତା ପଙ୍କଜ ଧୀର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । କ୍ୟାନସର ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମହାଭାରତର କର୍ଣ୍ଣ । ପଙ୍କଜଙ୍କ ବିୟୋଗ ନେଇ ତାଙ୍କର ଜଣେ ବନ୍ଧୁ ସ୍ପଷ୍ଟ କରିଛନ୍ତି ।
ଗତ କିଛି ମାସ ଧରି ପଙ୍କଜଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିଲା । ସେଥିପାଇଁ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ସର୍ଜରୀ କରାଯାଇଥିଲା । ପଙ୍କଜଙ୍କ ବିୟୋଗକୁ ନେଇ ସିନେ ଓ ଟିଭି କଳାକାର ସଂଘ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ପଙ୍କଜଙ୍କ ଅଚାନକ ମୃତ୍ୟୁ ଖବର ପାଇ ସାରା ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି । ପଙ୍କଜ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁ ପ୍ରୋଜେକ୍ଟରେ କାମ କରିଥିଲେ । ମାତ୍ର ମହାଭାରତର ’କର୍ଣ୍ଣ’ ଭୂମିକା ତାଙ୍କୁ ପରିଚିତ କରାଇଥିଲା ।