ଟିଭି ସ୍କ୍ରିନ୍‌ ଚାଟିବା ପରେ ଆପଣ ନେଇପାରିବେ ମନପସନ୍ଦ ଖାଦ୍ୟର ଅସଲି ମଜା !

ଟୋକିଓ: ନୂଆ ନୂଆ ଭେରାଇଟିର ଖାଦ୍ୟ ତିଆରି କରିବା ପୂର୍ବରୁ ଆମେ ଟିଭି କିମ୍ବା ୟୁଟ୍ୟୁବ୍‌ ଦେଖିଥାଉ। ତାପରେ ଖାଦ୍ୟକୁ ତିଆରି କରିଥାଉ। ଟିଭିରେ ଆମେ ଏହାକୁ କେବଳ ଦେଖିବାର ସୁଯୋଗ ପାଇଥାଉ। କିନ୍ତୁ ସେହି ସବୁ ଖାଦ୍ୟର ସ୍ୱାଦ ଜାଣିବାକୁ ହେଲେ ଆମକୁ ନିଜେ ରୋଷେଇ କରି ଖାଇବାକୁ ପଡ଼ିଥାଏ। ହେଲେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଆମ ବିଜ୍ଞାନ ଏତେ ଆଗକୁ ବଢ଼ିଯାଇଛି ଯେ ଏବେ ଆଉ ରୋଷେଇ କରି ଖାଦ୍ୟର ସ୍ୱାଦ ଜାଣିବାକୁ ପଡ଼ିବ ନାହିଁ। ବରଂ ଟିଭିରେ ଜିଭ ଲଗାଇ ଖାଦ୍ୟର ସ୍ୱାଦ ଜାଣିପାରିବେ। ଆମେ ଏଠାରେ କହି ରଖୁଛୁ ଟିଭିରେ ଜିଭ ଲଗାଇଲେ କେବଳ ଖାଦ୍ୟର ସ୍ୱାଦ ଜାଣିହେବ ହେଲେ ପେଟ ପୁରିବ ନାହିଁ। ଏମିତି ଏକ ଟିଭିକୁ ତିଆରି କରିଛି ଜାପାନ।

ଜାପାନର ଜଣେ ପ୍ରଫେସର ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଟିଭି ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଟିଭିରେ ଜିଭ ଲଗାଇଲେ ମିଳୁଛି ଖାଇବାର ସ୍ୱାଦ। ଅର୍ଥାତ୍ ଟିଭି ସ୍କ୍ରିନକୁ ଚାଟିବା ଦ୍ୱାରା ଆପଣ ବାଛିଥିବା ଆପଣଙ୍କର ପ୍ରିୟ ଖାଦ୍ୟର ସ୍ୱାଦ ପାଇପାରିବେ। ହଁ, ମେଇଜି ୟୁନିଭରସିଟିର ପ୍ରଫେସର ହୋମେଇ ମିୟାଶିତା ‘ଟେଷ୍ଟ ଦି ଟିଭି’ ନାମକ ଅବିଶ୍ୱାସନୀୟ ଟେଲିଭିଜନର ପରିକଳ୍ପନା କରିଛନ୍ତି। ଯାହାର କ୍କ୍ରିନ୍‌କୁ ଦର୍ଶକମାନେ ଚାଟିବା ଦ୍ୱାରା ବିଭିନ୍ନ ପ୍ରକାରର ଖାଦ୍ୟର ସ୍ୱାଦ ଅନୁଭବ କରିପାରୁଛନ୍ତି। ଆପଣ ଯଦି ଚକଲେଟ ଖାଇବାକୁ କହିବେ ତେବେ ମେସିନ୍‌ ତାର ସ୍କ୍ରିନରେ ଏକ ଲିକୁଇଡ ସ୍ପ୍ରେ କରିବ ଯାହାକୁ ଆପଣ ଆପଣଙ୍କର ଜିଭରେ ଚାଟି ଚକଲେଟର ଟେଷ୍ଟକୁ ପାଇପାରିବେ।

ଏକ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଟିଭିରେ ୧୦ ଟି ଛୋଟ ଛୋଟ କଣ୍ଟେନର ରହିଛି। ସେହି କଣ୍ଟେନର ଗୁଡ଼ିକରେ କିଛି ମିଶ୍ରଣକୁ ରଖାଯାଇଛି। ଯାହା ଏକ ‘ଚଳଚ୍ଚିତ୍ର’ ସହ ସ୍ୱାଦକୁ ସ୍କ୍ରିନରେ ସ୍ପ୍ରେ କରିଥାଏ। ଏହା ପରେ ଟିଭି ସ୍କ୍ରିନରେ ଏହାର ‘ଫିଲ୍ମ’ ଆସିଥାଏ ଯାହାକୁ ଦର୍ଶକମାନେ ଚାଟିଥାନ୍ତି। ପ୍ରଫେସରଙ୍କ କହିବା ଅନୁଯାୟୀ ଏହି ଟିଭି ସାହାଯ୍ୟରେ ରୋଷେୟା ଏବଂ ଖାଦ୍ୟ ବ୍ୟବସାୟରେ ନିୟୋଜିତ ଲୋକଙ୍କୁ ଦୂରରେ ବସି ତାଲିମ ଦିଆଯାଇପାରିବ। ଏହି ଟିଭି ସାହାଯ୍ୟରେ ଲୋକେ ଘରେ ବସି ଦୁନିଆର ଯେକୌଣସି ସ୍ଥାନରେ ଥିବା ହୋଟେଲରେ ତିଆରି ଖାଦ୍ୟର ସ୍ୱାଦକୁ ଅନୁଭବ କରିପାରିବେ। ଯଦି ଏହାକୁ ବଜାରରେ ବିକ୍ରି କରାଯାଏ ତେବେ ଏହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୭୩ ହଜାର ଟଙ୍କା ହେବ ବୋଲି ପ୍ରଫେସର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟିଭିରୁ ଅଲଗା ଅଲଗା ଖାଦ୍ୟର ସ୍ୱାଦକୁ କେମିତି ଦର୍ଶକ ଡାଉନ୍‌ ଲୋକଡ କରି ନିଜ ପାଖରେ ରଖିପାରିବେ ସେନେଇ ଏବେ କାମ ଚାଲିଛି। ଖାଲି ଏହି ଟିଭି ନୁହେଁ ଏହାପୂର୍ବରୁ ପ୍ରଫେସର ମିୟାଶିତା ତାଙ୍କ ଛାତ୍ରମାନଙ୍କ ସହିତ ମିଶି ଏକ କଣ୍ଟା ଚାମଚ ତିଆରି କରିଥିଲେ।  ଯେଉଁ ଚାମଚରେ ଖାଇବା ଦ୍ୱାରା ଖାଦ୍ୟର ସ୍ୱାଦ ଆହୁରି ବଢ଼ିଯାଉଥିଲା।

Leave a Reply