spot_img

Latest Posts

ତାମିଲନାଡୁ କରୁର ଦଳାଚକଟା ଘଟଣା ; ଆଜି ପୁଣି ସିବିଆଇରେ ହାଜର ହେବେ ବିଜୟ ଥଲପତି

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ କରୁର ଦଳାଚକଟା ଘଟଣା। ଆଜି ପୁଣି ସିବିଆଇରେ ହାଜର ହେବେ ତାମିଲ ସୁପରଷ୍ଟାର ତଥା ଟିଭିକେ ମୁଖ୍ୟ ବିଜୟ ଥଲପତି। ଦିଲ୍ଲୀ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହେବେ ହାଜର। ତଦନ୍ତର ଅଂଶ ସ୍ୱରୂପ ସିବିଆଇ ପୂର୍ବରୁ ଅନେକ ବରିଷ୍ଠ ଟିଭିକେ ପଦାଧିକାରୀଙ୍କୁ ପଚରାଉଚରା କରିସାରିଛି। ପଚରାଉଚରା କରାଯାଇଥିବା ଲୋକଙ୍କ ମଧ୍ୟରେ ଦଳର ସାଧାରଣ ସମ୍ପାଦକ ବୁସି ଆନନ୍ଦ, ନିର୍ବାଚନ ପରିଚାଳନା ବିଭାଗର ସାଧାରଣ ସମ୍ପାଦକ ଆଧବ ଅର୍ଜୁନ, ଯୁଗ୍ମ ସାଧାରଣ ସମ୍ପାଦକ ନିର୍ମଳ କୁମାର ଏବଂ କରୁର ଜିଲ୍ଲା ସମ୍ପାଦକ ମାଥିୟାଝାଗନ ଅନ୍ତର୍ଭୁକ୍ତ। ଗତ ମାସରେ ବୁସି ଆନନ୍ଦ ଏବଂ ଆଧବ ଅର୍ଜୁନ ବ୍ୟକ୍ତିଗତ ଭାବରେ ଦିଲ୍ଲୀ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। ଏପର୍ଯ୍ୟନ୍ତ ସଂଗୃହୀତ ବୟାନ ଏବଂ ପ୍ରମାଣ ଆଧାରରେ କରୁର ଘଟଣା ସହିତ ଜଡିତ ବିଜୟଙ୍କ ଭୂମିକା ଏବଂ ଦାୟିତ୍ୱ ସମ୍ପର୍କରେ ସିଧାସଳଖ ପଚରାଉଚରା କରିବାକୁ ନିଷ୍ପତ୍ତି ନେଇଥିଲା।

ତେଣୁ ତାଙ୍କୁ ପୂର୍ବରୁ ଗତ ୧୨ ତାରିଖରେ ଦିଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା। ଜେରା ସମୟରେ ସିବିଆଇ ଅଧିକାରୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ଯେଉଁଥିରେ କରୁର କାର୍ଯ୍ୟକ୍ରମ କିଏ ଆୟୋଜନ କରିଥିଲା, ବିଜୟଙ୍କୁ ବ୍ୟବସ୍ଥା ବିଷୟରେ ପୂର୍ବରୁ ସୂଚନା ଥିଲା କି ନାହିଁ, କାର୍ଯ୍ୟକ୍ରମରେ ତାଙ୍କର ବିଳମ୍ବର କାରଣ ଏବଂ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରୟାସ କରାଯାଇଥିଲା କି ନାହିଁ, ସ୍ଥାନୀୟ ପ୍ରଶାସନ ତାଙ୍କୁ ପୂର୍ବରୁ ସତର୍କ କରିଥିଲା କି ନାହିଁ, ପାନୀୟ ଜଳ, ସୁରକ୍ଷା ଏବଂ ସୁରକ୍ଷିତ ପ୍ରବେଶ ଏବଂ ପ୍ରସ୍ଥାନ ପଥ ପାଇଁ କ’ଣ ବ୍ୟବସ୍ଥା କରାଯାଇଥିଲା ଏସବୁ ପଚରାଉଚରା କରିଥିଲା। ବିଜୟ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ବିସ୍ତୃତ ଭାବେ ନିଜ ପକ୍ଷ ରଖିଥିବା ସୂଚନା ମିଳିଛି। ସିବିଆଇ ଆଜି ତାଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ ପୁଣି ସମନ କରିଛି। ତାମିଲନାଡୁ କରୁରରେ ଗତବର୍ଷ ସେପ୍ଟେମ୍ବର ୨୭ରେ ଘଟିଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିଲେ ୪୧ଜଣ। ଏହି ଦଳା ଚକଟା ଘଟଣାର ତଦନ୍ତ ବର୍ତ୍ତମାନ ସିବିଆଇ କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ବତନ୍ତ୍ର ତଦନ୍ତକାରୀ ଟିମ ହାତରୁ ଦାୟିତ୍ବ ନେଇଥିଲା ସିବିଆଇ।

Latest Posts

Don't Miss