ତହସିଲଦାରଙ୍କୁ ମାଡ଼ ଘଟଣାରେ ଦୁଇ ଅଟକ

ପଟ୍ଟାମୁଣ୍ଡାଇ: ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼ ଘଟଣାରେ ଦୁଇ ଅଟକ । ତହସିଲଦାର ଦିଲ୍ଲୀପ ସେଠୀଙ୍କ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ମୋହନପୁର ପଞ୍ଚାୟତର ଏକାଧିକ ଚାଷୀ ନିଜ ଜମି ପାଖରେ ବେଆଇନ ଇଟାଭାଟି  ନିର୍ମାଣକୁ ବିରୋଧ କରିଥିଲେ । ଏହାକୁ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ତୁରନ୍ତ ଚାଷ ଜମି ପାଖରେ ଇଟାଭାଟି ବନ୍ଦ କରିବାକୁ ଦାବି କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତହସିଲଦାର ଧାରଣାରତ ଚାଷୀଙ୍କ ସହ ଆଲୋଚନା କରିବା ସହ ଇଟାଭାଟି ଉଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ତହସିଲଦାରଙ୍କ ପାଖରୁ ପ୍ରତିଶ୍ରୁତି ପାଇବା ପରେ ଚାଷୀମାନେ ଧାରଣାରୁ ଉଠି ଘରକୁ ଫେରିଥିଲେ ।

ତେବେ ଗତକାଲି ରାତିରେ ଇଟା ମାଫିଆମାନେ ଇଟାଭାଟିରେ ନିଆଁ ଳଗାଇ ଥିଲେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଉତ୍ତ୍ୟକ୍ତ ଚାଷୀ ଆଜି ପୁଣି ତହସିଲ କାର୍ଯ୍ୟାଳୟକୁ ଆସି ଇଟା ଭାଟିରେ ନିଆଁ ଲାଗାଇବାକୁ ଇଟା ମାଫିଆଙ୍କୁ କେମିତି ଅନୁମତି ମିଳିଲା ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଚାଷୀ ଓ ତହସିଲଦାରଙ୍କ ମଧ୍ୟରେ ବଚସା ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ଚାଷୀ ତହସିଲଦାରଙ୍କ ସହ ଧସ୍ତାଧସ୍ତି କରିଥିଲେ । ଏହାସହ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ ଓ ଉଦୟ ଭାନୁ ସାହୁ ମିଳିତ ଭାବେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ ।