ନାମ ଫଳକକୁ ନେଇ ଗୋଷ୍ଠୀ ସଂଘର୍ଷ, ଦୁଇ ଗୁରୁତର

ନାମ ଫଳକରେ ଗାଁ ନାକୁ ନେଇ ତୀବ୍ର ଉତ୍ତେଜନା । ଗୋଷ୍ଠୀ ସଂଘର୍ଷରେ ଦୁଇ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ କୋଟପଲା, ଓସ୍ତ ପୁର ଗାଁରେ ଦେଖିବାକୁ ମିଳିଛି ବିବାଦ । ଗତ କିଛିଦିନ ତଳେ ଓସ୍ତପୁର ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଗ୍ରାମର ବଜାରରେ ଓସ୍ତପୁର ନାମ ଫଳକ ରଖିବା ପାଇଁ ଦାବି କରିଥିଲେ । ପୂର୍ବରୁ ଲାଗିଥିବା ଓସ୍ତପୁର ନାମ ଫଳକକୁ କୋଟପଲାର କିଛି ବ୍ୟକ୍ତି ଲିଭାଇ ଦେଇଥିବା ଅଭିଯୋଗ କରିଥିଲେ । ସେଇଦିନ ଠାରୁ ବିବାଦ ଲାଗିରହିଛି । ଆଜି ନିର୍ମାଣଧିନ ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ଉଭୟ ଗ୍ରାମର ଦୁଇଟି ନାମ ଫଳକ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ପୋତିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଉଭୟ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଗାଁର ମହିଳା ମାନେ ରାସ୍ତାରେ ପୋଲିସ, ପ୍ରଶାସନ ଉପସ୍ଥିତିରେ ପରସ୍ପରକୁ ଆକ୍ରମଣ , ପ୍ରତି ଆକ୍ରମଣ କରିଥିଲେ। ଆକ୍ରମଣରେ କିଛି ଘର ଦ୍ବାର, ଦୋକାନ ବଜାର ଭଙ୍ଗାରୁଜା ହେବା ସହ ଦୁଇଜଣ ଆହତ ହୋଇଛନ୍ତି । ଖବର ପାଇ ଖୋର୍ଦ୍ଧା ଏସ୍ଡ଼ିପିଓ , ବେଗୁନିଆ ଓ ବାଘମାରି ଥାନା ଅଧିକାରୀ ଏକ ପ୍ଲାର୍ଟୁନ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ । ଆଲୋଚନା ପରେ ଫଳକ ଲଗାଯିବ ବୋଲି ତହସିଲ ବେଗୁନିଆ ତହସିଲଦାର ତାପସ ବିଶି ସୂଚନା ଦେଇଥିଲେ