ସୀମା ଲଂଘୁଛି ଆସାମ ପୋଲିସ, ଗୁଳି ମାଡ଼ରେ ପ୍ରାଣ ହରାଇଲେ ୨ ସାଧାରଣ ନାଗରିକ

ଗୌହାଟି: ଆସାମର ଦାରାଙ୍ଗ ଜିଲ୍ଲାରେ ପୋଲିସର ବର୍ବରତା  । ପୋଲିସ ଗୁଳିରେ ୨ ନାଗରିକ ପ୍ରାଣ ହରାଇଛନ୍ତି । ଲୋକଙ୍କୁ ପୋଲିସ ନିର୍ଦ୍ଦୟ ଭାବେ ପିଟିବା ସହ ସେମାନଙ୍କ ଉପରକୁ ଗୁଳି ଚଳାଇବାର ଛାତିଥରା ଦୃଶ୍ୟ ପଦାକୁ ଆସିଛି । ଏହି ଘଟଣାରେ ୯ ପୋଲିସ ଆହତ ହୋଇଛନ୍ତି । ଆଜି ଧୋଳପୁର ଅଞ୍ଚଳରେ ଏକ ଉଚ୍ଛେଦ ଅଭିଯାନକୁ ନେଇ ହିଂସା ଆରମ୍ଭ ହୋଇଥିଲା । ପ୍ରାୟ ୮୦୦ ପରିବାର ଉଚ୍ଛେଦକୁ ବିରୋଧ କରିଥିଲେ । ଫଳରେ ଆନ୍ଦୋଳନରତ ଲୋକଙ୍କ ଉପରେ ପୋଲିସ ଅମାନୁଷିକ ଆକ୍ରମଣ କରିବା ସହ ଗୁଳିଚାଳନା କରିଥିଲା ।

ଘଟଣାସ୍ଥଳରେ ୨ ଜଣ ଲୋକ ପ୍ରାଣ ହରାଇଥିଲେ । ଆନ୍ଦୋଳନକାରୀଙ୍କୁ ପୋଲିସ ଲାଠି ପ୍ରହାର କରିବାର ଭିଡିଓ ବି କଏଦ ହୋଇଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆସାମ ସରକାର । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ତଦନ୍ତ କରିବେ । ଆସାମର ବିଜେପି ସରକାରଙ୍କ ଅମାନୁଷିକତା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ପରିସ୍ଥିତି ଦେଖି ଅଞ୍ଚଳ ସାରା 144 ଧାରା ଜାରି କରାଯାଇଛି ।

Leave a Reply