ତ୍ରିକୋଣୀୟ ପ୍ରେମରୁ ବୀଭତ୍ସ କାଣ୍ଡ, ନାବାଳକକୁ ହତ୍ୟା କଲେ ଦୁଇ ନାବାଳକ

କଳାହାଣ୍ଡି: ପ୍ରେମ ସମ୍ପର୍କରୁ ନାବାଳକଙ୍କୁ ହତ୍ୟା । ହତ୍ୟା ଅଭିଯୋଗରେ ଦୁଇ ନାବାଳକ କୋର୍ଟ ଚାଲାଣ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ଘଟଣା । ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖିଥିଲା । ତେବେ ଜେରାରେ ସେମାନେ ତ୍ରିକୋଣୀୟ ପ୍ରେମ କାରଣରୁ ହତ୍ୟା କରିଥିଲେ ବୋଲି ସ୍ୱୀକାର କରିଥିଲେ ।

ଜଣେ ଝିଅକୁ ମୃତକ ଦିଲୀପ ଓ ଜଣେ ଅଭିଯୁକ୍ତ ଭଲ ପାଉଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା । ଗତ ୧୮ ତାରିଖରେ ଦିଲୀପକୁ ଅଭିଯୁକ୍ତ ଓ ତା’ର ସାଙ୍ଗ ଏକ ନାଳକୁ ଡାକି ନେଇ ହତ୍ୟା କରିଥିଲେ । ପରେ ସ୍ଥାନୀୟ ଦୁଇଜଣ ଚାଷୀ ମୃତକ ଦିଲୀପକୁ ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ନଦୀକୁ ଫୋପାଡ଼ି ଦେଇଥିଲେ । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।