ଚୀନ୍ ସେନା ସହ ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ସହିଦ

1 min read

ଭୁବନେଶ୍ୱର: ଗଲବାନ ଘାଟିରେ ଚୀନ ସୈନିକ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ସୈନିକ ସାମିଲ ଥିବା ଜଣା ପଡିଛି । ଜଣେ ସହିଦଙ୍କ ଘର ରାଇରଙ୍ଗପୁର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର କନ୍ଧମାଳ ବୋଲି ଜଣା ପଡିଛି ।

(ନନ୍ଦୁରାମ ସୋରେନ)

ରାଇରଙ୍ଗପୁରର ନନ୍ଦୁରାମ ସୋରେନ ସୋମବାର ଦିନ ହୋଇଥିବା ସଂଘର୍ଷର ଶିକାର ହୋଇଛନ୍ତି । ନନ୍ଦୁରାମ ସୋରେନ୍ ବିହାର ରେଜିମେଣ୍ଟ-୧୬ରେ ସାମିଲ ଥିଲେ ।  ସେହିଭଳି ଚନ୍ଦ୍ରକାନ୍ତ ପ୍ରଧାନ ମଧ୍ୟ ସହିଦ ହୋଇଛନ୍ତି । ଚନ୍ଦ୍ରକାନ୍ତଙ୍କ ବୟସ ୨୮ । ତାଙ୍କ ଘର କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକର  ବିଅରପାଙ୍ଗା ଗାଁ । ସେ ବିହାର ରେଜିମେଣ୍ଟ-୧୬ରେ କାର୍ଯ୍ୟ କରୁଥିଲେ । ୬ ବର୍ଷ ତଳେ ସେ ଭାରତୀୟ ସେନାରେ ସାମିଲ ହୋଇଥିଲେ ।

(ଚନ୍ଦ୍ରକାନ୍ତ ପ୍ରଧାନ)

ସେ ଭାରତୀୟ ପେଟ୍ରୋଲିଂ ପାର୍ଟିରେ ସାମିଲ ଥିଲେ । ଭାରତୀୟ ପେଟ୍ରୋଲିଂ ପାର୍ଟି ଗଲବାନ ଘାଟିରେ ଟେଣ୍ଟ ପକାଇଥିଲେ । ଭାରତୀୟ ସୈନିକ ଚୀନ୍ ସୈନିକଙ୍କୁ  ସ୍ଥାନ ଖାଲି କରିବାକୁ କହିଥିଲେ । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ଚୀନ୍ ସେନା ଭାରତୀୟ ସୈନିକଙ୍କ ଉପରକୁ ପଥର ମାଡ କରିଥିଲେ । ଏହା ସହ ସେମାନେ ଲୁହା ପାଇପରେ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ  ଭାରତୀୟ ସୈନିକଙ୍କଠାରୁ ଚୀନ୍ ସୈନିକଙ୍କ ସଂଖ୍ୟା ତିନିଗୁଣ ଥିଲା । ପ୍ରଥମ ଭାରତୀୟ ଦଳର ସୁରକ୍ଷା ପାଇଁ ଦ୍ୱିତୀୟ ଦଳକୁ ସେଠାକୁ ପଠାଯାଇଥିଲା ।

ଚନ୍ଦ୍ରକାନ୍ତଙ୍କ ବୀରଗତି ଖବର ପରିବାରକୁ ମିଳିବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି । ପରିବାରବର୍ଗ ନିଜ ପୁଅକୁ ହରାଇବା ଦୁଃଖରେ ମିୟମ୍ରାଣ ହୋଇପଡିଛନ୍ତି ।

(ପୁଅ ଚନ୍ଦ୍ରକାନ୍ତଙ୍କ ଫଟୋ ସହ ମା’,ସାଥିରେ ଅଛନ୍ତି ଭଉଣୀ ମାନେ)

 

ଭାରତୀୟ ସେନାର ପାଲଟା ଆକ୍ରମଣରେ ୩୫ରୁ ଅଧିକ ଚୀନ୍ ସୈନିକ ମରିଥିବା ଆମେରିକୀୟ ଗୁଇନ୍ଦା ଏଜେନ୍ସି ସି ଆଇ ଏ ଦାବି କରିଛି । ଅଧିକାଂଶ ସୈନିକ ଘାଟିରୁ ତଳକୁ ଖସି ପ୍ରାଣ ହରାଇଥିବା କୁହାଯାଉଛି । ୧୭ ଜଣ ଆହତ ଭାରତୀୟ ସୈନିକ ଅତ୍ୟଧିକ ଥଣ୍ଡା କାରଣରୁ ପ୍ରାଣ ହରାଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଚୀନ ସୀମା ପଟେ ମଙ୍ଗଳବାର ରାତିରେ ହେଲିକପ୍ଟର ଯୋଗେ ଆହତ ଓ ମୃତ ସୈନିକଙ୍କୁ ବେସକୁ ନିଆଯାଉଥିବା ସୂଚନା ମିଳିଛି ।

 

Leave a Reply