ନାଳରେ ପଡି ୨ ବର୍ଷର ଶିଶୁ ପୁତ୍ର ମୃତ । କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍ ତଳ ନାଳରୁ ୨ ବର୍ଷ ବୟସ୍କ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଚୁଳିଆ ମୁଣ୍ଡା ସାହିର ଟୁନା ମୁଣ୍ଡାଙ୍କ ପୁଅ ଅଭିଜିତ ମୁଣ୍ଡା । ଅଭିଜିତ ଏକ କୁକୁର ସହିତ ଖେଳୁଖେଳୁ ଘର ଠାରୁ ପ୍ରାୟ ୧ କିଲୋମିଟର ଦୂରକୁ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ । ସେଠାରେ ସେ ନାଳରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଶିଶୁ ପୁତ୍ରଟିର ସନ୍ଧାନ ପାଇନଥିଲେ । ଆଜି ସକାଳୁ ସିଆରିମାଳିଆ ଗାଁ ବ୍ରିଜ ତଳ ନାଳରେ ଶିଶୁଟିର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

