ଲେମ୍ବୁ ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା !

ନନ୍ଦିଘୋଷ ବ୍ୟୁରୋ:  ସାଧାରଣ ବଚସାରୁ ହଣାହଣି । ଲେମ୍ବୁ କିଣାକୁ ନେଇ ତୁମୂଳକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଉଦୟପୁରରେ ।  ଲେମ୍ବୁ କିଣିବା ସମୟରେ, ଦୁଇଜଣ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହା ଧୀରେ ଧୀରେ ଏକ ବଡ଼ ଝଗଡ଼ାରେ ପରିଣତ ହୋଇଥିଲା। ଅଭିଯୋଗ ଅନୁସାରେ ଝଗଡ଼ା ସମୟରେ ଗୋଟିଏ ସମ୍ପ୍ରଦାୟର କିଛି ଯୁବକ ପନିପରିବା ବିକ୍ରେତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଏହି ଆକ୍ରମଣକାରୀମାନେ ନିକଟରେ ଥିବା ଠେଲା ଗାଡି ଉପରେ ମଧ୍ୟ ପଥର ମାଡ଼ କରିଥିଲେ । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକମାନେ ପ୍ରତିବାଦ ସ୍ୱରୂପ ରାସ୍ତାକଡ଼ରେ ରଖାଯାଇଥିବା କିଛି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।

ରିପୋର୍ଟ ଅନୁଯାୟୀ, ରାହୁଲ ରାଠୋଦ ଉଦୟପୁରର ମହେଶ୍ୱରୀ ଧର୍ମଶାଳା ନିକଟରେ ଏକ ପନିପରିବା ଦୋକାନ କରିଛନ୍ତି। ଗୁରୁବାର ରାତି ପ୍ରାୟ ୧୦ଟାରେ ଦୁଇଜଣ ଯୁବକ ପନିପରିବା କିଣିବାକୁ ଆସିଥିଲେ। ଏହି ସମୟରେ, ସେ ଲେମ୍ବୁ ମୂଲ୍ୟକୁ ନେଇ ତାଙ୍କ ସହ ଝଗଡ଼ା ଆରମ୍ଭ କରିଦେଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ମାମଲାକୁ ଶାନ୍ତ କରିଥିଲେ। ଏହା ପରେ ଉଭୟ ଯୁବକ ସେଠାରୁ ଚାଲିଯାଇଥିଲେ ।

କିଛି ସମୟ ପରେ ଉଭୟ ଯୁବକ ସେମାନଙ୍କର ଅନ୍ୟ ବନ୍ଧୁମାନଙ୍କ ସହିତ ଆସି ଦୋକାନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସେମାନେ ପନିପରିବା ବିକ୍ରେତା ରାହୁଲ ଏବଂ ତାଙ୍କ ବାପା ସତବୀରଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସତବୀର ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଏମବି ହସ୍ପିଟାଲକୁ ନେଇଗଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ଘଟଣାର ଖବର ପ୍ରଚାରିତ ହେବା ମାତ୍ରେ ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ସେମାନେ ପ୍ରତିବାଦ କରିଥିଲେ। ଏହି ସମୟ ମଧ୍ୟରେ ବଜାରର ଅନେକ ସ୍ଥାନରେ ନିଆଁ ମଧ୍ୟ ଲଗାଯାଇଥିଲା । ମାମଲା ସମ୍ପର୍କରେ ସୂଚନା ପାଇବା ପରେ, ଏସପି ଯୋଗେଶ ଗୋୟଲ ଏବଂ ଏଏସପି ଉମେଶ ଓଝା ଘଟଣାସ୍ଥଳରେ ପହଞ୍ଚି  ଲୋକଙ୍କୁ ବୁଝାଇ ଶାନ୍ତ କରିଥିଲେ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ବର୍ତ୍ତମାନ ଅଞ୍ଚଳରେ ଉତ୍ତେଜନାର ବାତାବରଣ ରହିଛି । ପ୍ରଶାସନ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି ।

ଅନ୍ୟପକ୍ଷରେ ଘଟଣାର ପ୍ରତିବାଦ ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଧାନ ମଣ୍ଡି ବଜାର ବନ୍ଦ ରହିଛି। ପୋଲିସ ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରିଛି। ଘଟଣା ପରେ ଏସପି ଯୋଗେଶ ଗୋୟଲ କହିଛନ୍ତି ଯେ ପରସ୍ପର ଯୁକ୍ତିତର୍କ ପରେ ମାମଲା ଉଗ୍ରରୂପ ନେଇଥିଲା, ବର୍ତ୍ତମାନ ଘଟଣାସ୍ଥଳରେ ଶାନ୍ତି ରହିଛି ଏବଂ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି।