ଉଦଳାରେ କାହାକୁ ଜିତାଇବେ ଭୋଟର?

ନନ୍ଦିଘୋଷ ବ୍ୟୁରୋ: ଆଉ କେଇଟା ଦିନ ପରେ ଓଡ଼ିଶାରେ ନିର୍ବାଚନ। କାହାକୁ ବାଛିବେ ଭୋଟର ତାକୁ ହିଁ ଅପେକ୍ଷା କରାଯାଇଛି। ହେଲେ ନିଜ ନିଜର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ମୟୂରଭଞ୍ଜ ଉଦଳାରେ ସମସ୍ତ ପ୍ରାର୍ଥୀଙ୍କ ଚାଲିଛି ଜୋରଦାର ପ୍ରଚାର । ବିଜେଡି ଆଗରେ ରହିଥିବା ଦେଖିବାକୁ ମିଳିଛି।

ଦିନ କେଇଟା ପରେ ନିର୍ବାଚନ। ବିଜୟ ତିଳକ ପିନ୍ଧିବାକୁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର। ରୋଡ ଶୋ, ପଟୁଆରରେ କମ୍ପିଲାଣି ରାସ୍ତାଘାଟ । ରାଜ୍ୟ ରାଜନୀତିରେ ଉଦଳା ନିର୍ବାଚନ ମଣ୍ଡଳି ଉପରେ ରହିଛି ସମସ୍ତଙ୍କ ନଜର। ଏହି ନିର୍ବାଚନ ମଣ୍ଡଳି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ । ଏହା ସହିତ ଏହି ନିର୍ବାଚନମଣ୍ଡଳିକୁ ବିଜେଡିର ଗଡ ବୋଲି ମଧ୍ୟ କୁହାଯାଏ । ଗତ ୫ଟି ନିର୍ବାଚନର ରିପୋର୍ଟ ଅନୁସାରେ ୨୦୦୦  ମସିହାରେ ଏହି ନିର୍ବାଚନମଣ୍ଡଳିରେ ଜାତୀୟ କଂଗ୍ରେସରୁ ରାବଣେଶ୍ୱର ମଢେଇ ଓ ବିଜେପିରୁ ଭାସ୍କର ମଢେଇ ଟିକେଟ ନେଇ ନିର୍ବାଚନ ଲଢିଥିଲେ । ଭାସ୍କର ମଢେଇ  ୨୫, ୨୪୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ।

ଏହାପରେ ପୁଣି ୨୦୦୪ ସାଧାରଣ ନିର୍ବାଚନରେ ବିଜେପିର ଭାସ୍କର ମଢେଇ ନିର୍ବାଚନ ମଇଦାନକୁ ଓହ୍ଲାଇ କଂଗ୍ରେସର ଅନଙ୍ଗ ଚରଣ ସେନାପତିଙ୍କୁ ୫, ୯୧୬ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ୨୦୦୯ ମସିହାରେ ଏହି ନିର୍ବାଚନମଣ୍ଡଳିରୁ ବିଜେଡିରୁ ଟିକେଟ ପାଇ ଶ୍ରୀନାଥ ସୋରେନ୍ ଲଢିଥିବା ବେଳେ ସେ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତିଙ୍କୁ ୧୧, ୧୯୩ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇ ବିଧାୟକ ହୋଇଥିଲେ ।

୨୦୧୪ରେ ମଧ୍ୟ ଏହି ନିର୍ବାଚନମଣ୍ଡଳିର ବିଧାନସଭା ସିଟ୍ ବିଜେଡି ପକେଟକୁ ଯାଇଥିଲା । ଯେଉଁଥିରେ ଦିବଂଗତ ବିଜେଡି ମନ୍ତ୍ରୀ ଗୋଲକ ବିହାରୀ ନାଏକ ନିର୍ବାଚନ ଲଢି ଭାସ୍କର ମଢେଇଙ୍କୁ ୮, ୫୨୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଗତ ୨୦୧୯  ନିର୍ବାଚନରେ ବିଜେପିର ଭାସ୍କର ମଢେଇଙ୍କ ଠାରୁ  ବିଜେଡିର ଶ୍ରୀନାଥ ସୋରେନ୍ ୧, ୪୩୩  ଖଣ୍ଡ  ଭୋଟରେ ପରାସ୍ତ ହୋଇଥିଲେ । ସେବେଠାରୁ ବିଜେଡି ନିଜର ଗଡକୁ ପୁଣି ଅକ୍ତିଆର କରିବା ପାଇଁ  ଚଲାଇଛି ପ୍ରୟାସ୍। ଏବେ ବିଜେଡି ଶ୍ରୀନାଥ ସୋରେନଙ୍କୁ ପ୍ରାର୍ଥୀ କରିଛି। ସେପଟେ ଅନେକ ବିବାଦରେ ଛନ୍ଦି ହୋଇଥିବା ବିଜେପି ପ୍ରାର୍ଥୀ  ଭାସ୍କରଙ୍କ ପାଇଁ ଚଳିତ ନିର୍ବାଚନ ବହୁତ କଷ୍ଟକର ହେବ ବୋଲି କୁହାଯାଉଛି । କଂଗ୍ରେସ୍ ଜଣେ ଅଭିଜ୍ଞ କର୍ମୀ ତଥା ୧୯୯୦ ମସିହାରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଦୁର୍ଗାଚରଣ ଟୁଡୁଙ୍କୁ ଟିକେଟ ଦେଇଛି ।

ଏ ସବୁ ଭିତରେ ଭୋଟର କିନ୍ତୁ ଅଲଗା ମୁଡରେ ରହିଛନ୍ତି। ଅନେକ ଭୋଟର ରାଜ୍ୟ ସରକାରଙ୍କ ଯୋଜନାରେ ଆକର୍ଷିତ ହୋଇ ବିଜେଡିକୁ ପୁଣି ତାର ଗଡକୁ ଫେରାଇ ଆଣିବାକୁ ମନସ୍ଥ କରିଛନ୍ତି । ସେପଟେ ଆଉ କିଛି ଭୋଟର ସେମାନଙ୍କ ଦୁଃଖ ଦୁଖଃରେ ସାଥ ଦେଇଥିବା ନେତାଙ୍କୁ ବିଜୟ ମୁକୁଟ ପିନ୍ଧାଇବେ ବୋଲି ମନସ୍ଥ କରିଛନ୍ତି। କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ । କିଏ ପୁଣି ଦଖଳ କରିବ ଉଦଳା ନିର୍ବାଚନିମଣ୍ଡଳ। ଅଞ୍ଚଳର ବିକାଶ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ରାଜନୀତି ବିଶେଷଜ୍ଞ ।