ବାଲେଶ୍ବରରେ ମାରି ଉଦଳାରେ ପୋତିଦେଲେ ସୁପାରୀ କିଲର

ଉଦଳା: ବ୍ୟବସାୟିକ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା । ବାଲେଶ୍ବରରେ ମାରି ଉଦଳାରେ ପୋତିଦେଲେ ସୁପାରି କିଲର । ମୃତକ ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପଦ୍ମପୁର ଅଞ୍ଚଳର ଚିତ୍ତରଞ୍ଜନ ବେହେରା  । ଗତ ରବିବାର ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିଲେ । ଏନେଇ ବାଲେଶ୍ବର ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ  । ଗତକାଲି କପ୍ତିପଦା ଥାନା ସମିବୃକ୍ଷ ନିକଟରୁ ମାଟିତଳୁ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମୃତକଙ୍କ ହାତରେ ଥିବା ଟାଟୁରୁ ପରିଚୟ ମିଳିଥିଲା । ମାମଲାର ତଦନ୍ତ କରି ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି । ଦୁଇ ଅଭିଯୁକ୍ତ ହେଲେ ବାଲେଶ୍ବରର ପ୍ରଫୁଲ୍ଲ ବେହେରା ଓ ରେମୁଣାର ଜୟଚନ୍ଦ୍ର ସିଂ ।

ମୃତ ଚିତ୍ତରଞ୍ଜନ ଇଟା, ବାଲି, ଚିପ୍ସ ବ୍ୟବସାୟ କରୁଥିଲେ । ଅଭିଯୁକ୍ତ ପ୍ରଫୁଲ ବେହେରାଠୁ ଏକ ଟ୍ରକ କିଣିଥିଲେ ଚିତ୍ତରଞ୍ଜନ । ମାତ୍ର କାଗଜପତ୍ର ଚିତ୍ତରଞ୍ଜନଙ୍କ ନାଁରେ ହୋଇପାରିନଥିଲା । ବାରମ୍ବାର କହିବା ପରେ ମଧ୍ୟ ପ୍ରଫୁଲ କାଗଜପତ୍ର ଟ୍ରାନ୍ସଫର କରିନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ରାଗ ରଖି ପ୍ରଫୁଲ ଓ ଜୟଚନ୍ଦ୍ର କପ୍ତିପଦାର କିଛି ଅପରାଧୀଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିଲେ । ମର୍ଡର ପାଇଁ ୨୫ ହଜାର ଟଙ୍କା ଡିଲ୍ ହୋଇଥିବାବେଳେ ଅଗ୍ରୀମ ୫ ହଜାର ଟଙ୍କା ଦିଆଯାଇଥିଲା । ହତ୍ୟାକାରୀ ଚିତ୍ତରଞ୍ଜନଙ୍କୁ ବାଲେଶ୍ବରର ତାଙ୍କ ଘରୁ ଡାକିଆଣି ରାସ୍ତାରେ ହତ୍ୟା କରିଥିଲେ ।

ପରେ ଉଦଳା ନିକଟରେ ଏକ ବିଲ ଭିତରେ ଗାତ ଖୋଲି ପୋତିଦେଇଥିଲେ । ଶବ ଉପରେ ଲୁଣ ପକାଇବା ସହ କିଛି ଗୋରୁହାଡ଼ ପକାଇ ବିଭ୍ରାନ୍ତି କରିବାକୁ ଉଦ୍ୟମ କରିଥିଲେ । ପ୍ରମାଣ ନଷ୍ଟ ପାଇଁ ଏଭଳି କରାଯାଇଥିଲା  ବୋଲିଅଭିଯୁକ୍ତ ସ୍ବୀକାର କରିଛନ୍ତି । ହତ୍ୟା କରି ପୋତିବା ପରେ ଦୁଇ ଅଭିଯୁକ୍ତ ବାଲେଶ୍ବର ଯାଇ ଚିତ୍ତରଞ୍ଜନଙ୍କ ଘର ଆଗରେ ଥିବା ସିସିଟିଭି, କ୍ୟାମେରା, ହାର୍ଡଡିସ୍କ ଓ କମ୍ପ୍ୟୁଟର ଆଣି ପୋଖରୀରେ ଫୋପାଡି ଦେଇଥିଲେ । ମାମଲାରେ ଆଉ ଦୁଇ ଜଣଙ୍କର ସଂପୃକ୍ତି ଥିବା ଏସଡିପିଓ ସୂଚନା ଦେଇଛନ୍ତି ।