spot_img

Latest Posts

ସଞ୍ଜୟଙ୍କୁ ଇଡିର ସମନ, ସେପଟେ ବିଦ୍ରୋହୀ ବିଧାୟକଙ୍କ ଉପରେ ଉଦ୍ଧବଙ୍କ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଧୀରେ ଧୀରେ ଜଟିଳେ ହେବାରେ ଲାଗିଛି  । ଗୋଟିଏ ପଟେ ବିଦ୍ରୋହୀ ଗୋଷ୍ଠୀ ସିନ୍ଦେଙ୍କ ନେତୃତ୍ୱରେ ଲଗାତାର ଶକ୍ତି ପ୍ରଦର୍ଶନ କରୁଛନ୍ତି  । ଅନ୍ୟପକ୍ଷରେ ଅନୁରୋଧ କରୁଥିବା ଶିବସେନା ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆକ୍ସନ ମୋଡରେ ଦେଖିବାକୁ ମିଳିଛି  । ଏହାରି ମଧ୍ୟରେ ଇଡିର ମଧ୍ୟ ଏଣ୍ଟ୍ରି ଦେଖିବାକୁ ମିଳିଛି  । ମନି ଲଣ୍ଡରିଂ ମାମଲାରେ ଆସନ୍ତାକାଲି ପଚରାଉଚରା ପାଇଁ ସଞ୍ଜୟଙ୍କୁ ହାଜର ହେବା ପାଇଁ କୁହାଯାଇଛି  ।

ସେପଟେ ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମଧ୍ୟ ମିଳିଯାଇଛି  । ଉପବାଚସ୍ପତି ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚେତାବନୀ ଓ ଆଜି ସୁଦ୍ଧା ଲିଖିତ ଜବାବ ଦେବା ପାଇଁ ନୋଟିସ୍ କରିଥିଲେ  । ଏହା ବିରୋଧରେ ବିଦ୍ରୋହୀ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ  । ସୁପ୍ରିମକୋର୍ଟରୁ ସେମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି  । ସୁପ୍ରିମକୋର୍ଟ କହିଛନ୍ତି ଆସନ୍ତା ୧୧ ତାରିଖ ସୁଦ୍ଧା ଉପବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ଏବଂ ୧୨ ତାରିଖ ଭିତରେ ବିଦ୍ରୋହୀ ଲିଖିତ ଜବାବ ଦେବେ  ।

ଏପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କ ସମେତ ବିଦ୍ରୋହୀ ସମସ୍ତ ୯ ମନ୍ତ୍ରୀଙ୍କ ବିଭାଗ ଛଡାଇ ନେଇଛନ୍ତି  । ଏହି ବିଭାଗର ଦାୟିତ୍ୱ ଅନ୍ୟ ମନ୍ତ୍ରୀଙ୍କୁ ହସ୍ତାନ୍ତର କରିଦେଇଛନ୍ତି  । ସିନ୍ଦେଙ୍କ ବିଭାଗ ସୁବାଷ ଦେସାଇଙ୍କୁ ହସ୍ତାନ୍ତର କରାଯାଇଛି  । ଏକନାଥ ସିନ୍ଦେଙ୍କ ପାଖରେ ସହରାଞ୍ଚଳ ବିକାଶ, ପିଡବ୍ଲୁଡି ଏବଂ ଏଏମଏସଆରଟିସି ବିଭାଗ ଥିଲା  । ଏହି ବିଭାଗ ଏବେ ସୁବାଷ ଦେସାଇଙ୍କୁ ଦିଆଯାଇଛି  । ଗୁଲାବରାଓ ପାଟିଲଙ୍କ ପାଖରେ ଜଳସମ୍ପଦ ବିଭାଗ ଥିଲା ଏବଂ ଏହି ବିଭାଗ ଏବେ ଅନିଲ ପରବଙ୍କୁ ହସ୍ତାନ୍ତର କରାଯାଇଛି  । ସେହିପରି ଉଦୟ ସାମନ୍ତଙ୍କ ପାଖରେ ଉଚ୍ଚ ଜ୍ଞାନକୌଶଳ ଶିକ୍ଷା ବିଭାଗ ଥିଲା ଏବେ ଏହାକୁ ଆଦିତ୍ୟ ଠାକରେଙ୍କୁ ଦିଆଯାଇଛି  । ସନ୍ଦିପନ ଆସାରାମ ଭୁମରେଙ୍କ ପାଖରେ ରୋଜଗାର ଗ୍ୟାରେଣ୍ଟି ତଥା ଫଳ ଉତ୍ପାଦନ ବିଭାଗ ଥିଲା ଏବଂ ଏବେ ଏହି ବିଭାଗର ଦାୟିତ୍ୱ ଶକର ଗଡଖଙ୍କୁ ଦିଆଯାଇଛି  । ଦାଦା ଭୁସେଙ୍କ ପାଖରେ କୃଷି ବିଭାଗ ଥିଲା ଏବଂ ଏବେ ଏହି ବିଭାଗକୁ ସନ୍ଦିପନ ରାଓ ଭୁମରେଙ୍କୁ ଦିଆଯାଇଛି  ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ, ରାଜ୍ୟ ମନ୍ତ୍ରୀ (ଗ୍ରାମୀଣ) ଶମ୍ଭୁରାଜ ଦେସାଇଙ୍କ ଗୃହ ବିଭାଗର ଦାୟିତ୍ୱ ସଞ୍ଜୟ ବାନ୍ସୋଡେଙ୍କୁ ଦିଆଯାଇଛି  । ସେହିପରି ରାଜେନ୍ଦ୍ର ପାଟିଲ, ଅବଦୁଲ ସତ୍ତାର ଏବଂ ଓମପ୍ରକାଶ କଡୁଙ୍କୁ ଦିଆଯାଇଥିବା ଅର୍ଥ, ନିଯୁକ୍ତି, କୌଶଳ ବିକାଶ ଏବଂ ଉଦ୍ୟଗ, ରାଜ୍ୟ ଉତ୍ପାଦ ଶୁଳ୍କ, ମେଡିକାଲ ଶିକ୍ଷା, ଟେକ୍ସଟାଇଲ, ସାଂସ୍କୃତିକ କାର୍ଯ୍ୟ ଏବଂ ଓବିସି କଲ୍ୟାଣ ବିଭାଗକୁ ରାଜ୍ୟ ମନ୍ତ୍ରୀ ବିଶ୍ୱଜିତ କଦମ, ସତେଜ ପାଟିଲ, ପ୍ରଜକ୍ତ ତାନପୁରେ, ଆଦିତି ତଟକରେ ଏବଂ ଦତ୍ତାତ୍ରେୟ ଭରନେଙ୍କୁ ହସ୍ତାନ୍ତର କରାଯାଇଛି  ।

ସଞ୍ଜୟ ରାଉତଙ୍କ ବିରୋଧରେ ସିନ୍ଦେ ସମର୍ଥକ ମହାରାଷ୍ଟ୍ରରେ ଆକ୍ରୋଶ ଦେଖାଇଛନ୍ତି  । ଠାଣେ ରେ ସୋମବାର ସିନ୍ଦେ ସମର୍ଥକମାନେ ସଞ୍ଜୟ ରାଉତଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି  । ସେହିପରି ଜଳଗାଁଓରେ ମଧ୍ୟ ସମର୍ଥକ ବିଧାୟକ ଗୁଲାବରାଓ ପାଟିଲଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇବା ସହ ସଞ୍ଜୟ ରାଉତଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି  । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କୁ ପଚରା ଉଚରା ପାଇଁ କାଲି ହାଜର ହେବା ପାଇଁ କହିଛି  ।

Latest Posts

Don't Miss