ଚିନ୍ତା ବଢାଉଛି ବ୍ରିଟେନ୍‌ ଷ୍ଟ୍ରେନ୍, ଦେଶରେ ସମୁଦାୟ ୨୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ପରେ ଏବେ ଡରାଉଛି ବ୍ରିଟେନ୍‌ ଷ୍ଟ୍ରେନ୍ । ଦିନ ଗଡ଼ିବା ସହ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦେଶର ବିଭିନ୍ନ ଲ୍ୟାବ‌ରୁ ଆଉ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ନିକଟରେ ବ୍ରିଟେନରୁ ଫେରିଥିବା ସୂଚନା । ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ରାଜଧାନୀ ଦିଲ୍ଲୀର ବୋଲି ସୂଚନା ରହିଛି । ଏହାକୁ ମିଶାଇ ଦେଶରେ ନୂଆ ଷ୍ଟ୍ରେନରେ ସଂକ୍ରମିତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ।

ସମସ୍ତ ଆକ୍ରାନ୍ତଙ୍କୁ ସରକାରୀ କ୍ୱାରେଣ୍ଟାନରେ ରଖାଯାଇଛି । ପରିବାର ଓ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କରୋନା ଟେଷ୍ଟ କରାଯିବା ସହ ଆଇସୋଲେସନରେ ରଖାଯାଇଛି । ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ଥିବାରୁ ନୂଆ ଯାତ୍ରୀ ଆସୁନାହାଁନ୍ତି । ପୂର୍ବରୁ ଆସିଥିବା ଯାତ୍ରୀମାନଙ୍କୁ ଟ୍ରେସ୍ କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ।  ସେପଟେ ଦେଶରେ କରୋନା ଟିକାକରଣ ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ବ୍ରିଟେନରୁ ଭାରତ ଆସିଥିବା ଲୋକଙ୍କ ଆରଟି ପିସିଆର ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ପଜିଟିଭ୍ ଆସିବା ପରେ, ନମୁନାକୁ ଲ୍ୟାବରେ ଜେନୋମ କ୍ରମ ପାଇଁ ପଠାଯାଇଥିଲା ଯେଉଁଥିରୁ ସ୍ପଷ୍ଟ ହେବ ଯେ, ଏହା କେଉଁ ଭାଇରସ୍ର ଷ୍ଟ୍ରେନ । ଏହାସହ ଜାନୁଆରୀ ୩୧ ପର୍ଯ୍ୟନ୍ତ ବ୍ରିଟେନର ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବନାନ୍ ଏବଂ ସିଙ୍ଗାପୁର ଦ୍ୱାରା ବ୍ରିଟେନ ଷ୍ଟ୍ରେନ ମିଳିଥିବା ଜଣାପଡ଼ିଛି ।

Leave a Reply