ବିଚ୍‌ରାସ୍ତାରେ ପ୍ରେମ ନିବେଦନ କରୁଥିଲା ଦାଦା, ନ ମାନିବାରୁ ପୋଡି ମାରିଦେଲା

ବାଲେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଭାବନୀୟ କାଣ୍ଡ ଘଟାଇଲା ଦାଦା । କିରୋସିନି ଢାଳି ଜୀଅନ୍ତା ପୋଡ଼ିଦେଲା ସମ୍ପର୍କୀୟ ଦାଦା । ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁରେ ଘଟିଛି ଏଭଳି ଅଘଟଣ । ଗାଁର ଦୟାନିଧି ଜେନା ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ । ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ସମ୍ପର୍କୀୟ ଝିଆରୀ ।

ପିଲାବେଳୁ ଦୟାନିଧିଙ୍କ ଘରକୁ ଯିବା ଆସିବା କରନ୍ତି ନାବାଳିକା । ଦୟାନିଧିଙ୍କ ସ୍ତ୍ରୀ ତାଙ୍କୁ ପାଠ ପଢ଼ାଉଥିଲେ । ହେଲେ ହଠାତ୍ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଆଉ ତାଙ୍କ ଘରକୁ ଯାଉନଥିଲେ ନାବାଳିକା । ତଥାପି ଦୟାନିଧି ବିଚ୍ ରାସ୍ତାରେ ନାବାଳିକାଙ୍କୁ  ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଛି । ତେଣୁ ପାନେ ଦେବାକୁ ସୁଯୋଗ ଅପେକ୍ଷାରେ ଥିଲେ ଦୟାନିଧି ।

ଆଜି ସକାଳୁ ସକାଳୁ ନାବାଳିକା ପାଇଖାନାରେ ଥିବା ବେଳେ ଦୟାନିଧି ଯାଇ ମୁହଁରେ ଲୁଗା ଘୋଡାଇ ବନ୍ଦ କରିବା ସହ ଚୁଟି କାଟିଦେଇଥିଲେ । ତାପରେ ନାବାଳିକାଙ୍କ ଦେହରେ କିରୋସିନ ଢାଳି ଜିଅନ୍ତା ଜାଳିଦେଇଥିଲା ନୃଶଂସ ଦୟାନିଧି । ପଡୋଶୀ ଆସି ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ହତ୍ୟାକାରୀ ଯୁବକକୁ ଗ୍ରାମବାସୀ କାବୁ କରି ଖଇରା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଯୁବକକୁ ଅଟକ ରଖିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଞ୍ଚଳରେ ଏବେବି ଉତ୍ତେଜନା ଲାଗି ରହିଛି ।