ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କୃଷ୍ଣବଳରାମଙ୍କୁ ହତ୍ୟା ପାଇଁ ମାମୁଁ କଂସ ରଚିଛନ୍ତି ଷଡଯନ୍ତ୍ର। ଆୟୋଜିତ କରିଛନ୍ତି ଛଳନାର ଧନୁଯାତ୍ରା। ଯାତ୍ରା ଦେଖିବା ପାଇଁ ଭଣଜାଙ୍କୁ କରିଛନ୍ତି ନିମନ୍ତ୍ରଣ । ଗତକାଲି ନବମ ଦିନରେ କୃଷ୍ଣ ବଳରାମ ବେନି ଭାଇଙ୍କୁ ଧରି ଅକୃର ମଥୁରା ଅଭିମୁଖେ ଯାତ୍ରା କରିଥିଲେ। ସେପଟେ କୃଷ୍ଣ ବଳରାମ ଗୋପପୁର ଛାଡ଼ି ଚାଲି ଯାଇଥିବାରୁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶ୍ରୀକୃଷ୍ଣ ବଳରାମଙ୍କୁ ବିଦାୟ ଦେବା ବେଳେ ନନ୍ଦରାଜା, ଯଶୋଦା, ଗୋପୀ ଗୋପାଳ, ରାଧା ବାଟ ଓଗାଳି ଥିଲେ। କୃଷ୍ଣ ଚାଲିଯିବା ଭାବନାରେ ରାଧା ମୂର୍ଚ୍ଛିତ ହୋଇପଡିଥିଲେ । ଧନୁଯାତ୍ରା ଦେଖି ମାତ୍ର ୪ ଦିନରେ ଫେରି ଆସିବାକୁ କଥା ଦେଇଥିଲେ କୃଷ୍ଣ। ଶେଷରେ କାନ୍ଦି କାନ୍ଦି ଗୋପପୁର ଦୁଇ ଭାଇଙ୍କୁ ବିଦାୟ ଦେଇଥିଲେ। କୃଷ୍ଣବଳରାମଙ୍କ ବିନା ଖାଁ ଖାଁ ଗୋପପୁର। ଗୋପୀ ଗୋପାଙ୍ଗନାଙ୍କ ଆଖିରୁ ବନ୍ଦ ହେଉ ନାହିଁ ଲୁହ। ଏହାକୁ ସ୍ୱଚକ୍ଷୁରେ ଦେଖି ଭାବବିହ୍ୱଳ ହୋଇଥିଲେ ଦର୍ଶକ ।
ଏପଟେ ମହାରାଜା କଂସଙ୍କ ଅତ୍ୟାଚାରରେ ଥରହର ମଥୁରା ନଗରୀ। ନଗର ଭ୍ରମଣ ବେଳେ ଆମ୍ରବନରେ ଶ୍ରୀକୃଷ୍ଣଙ୍କ ଆରାଧନାରତ ଋଷିମୁନିଙ୍କ ଉପରେ ଅତ୍ୟାଚାର କରିଛନ୍ତି କଂସ । ବନ୍ଦୀ କରି ମୁନିଋଷିଙ୍କୁ ରାଜଦରବାରରେ ଦଣ୍ଡବିଧାନ କରିଛନ୍ତି । ଏହି ସମୟରେ ଅକୃର ରାଜଦରବାରକୁ ପ୍ରବେଶ କରି କୃଷ୍ଣବଳରାମଙ୍କ ମଥୁରା ଆଗମନର ସୂଚନା ଦେଇଛନ୍ତି । ଏଥିରେ ଆନନ୍ଦିତ ହୋଇ ନୃତ୍ୟଗୀତରେ ବିଭୋର ହୋଇଯାଇଛନ୍ତି କଂସ। କୃଷ୍ଣ ବଳରାମଙ୍କୁ କିପରି ମାରିବେ ପାତ୍ର ମନ୍ତ୍ରୀଙ୍କ ସହ ବିଚାରବିମର୍ଶ କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଦଶମ ଦିନରେ କୃଷ୍ଣବଳରାମଙ୍କୁ ମଥୁରାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ । ସୁଦାମା ମାଳି ଓ ରଜକଙ୍କ ସହ ସାକ୍ଷାତ, କୁବୁଜା ଉଦ୍ଧାର ହେବ। ସେପଟେ କଂସ ମହାରାଜାଙ୍କ ଦିଗବିଜୟ , କଂସର ଛାୟା, କଂସର ଦୁଃସ୍ବପ୍ନ ଆଦି ଦୃଶ୍ୟ ଅଭିନୀତ ହେବ।

