ଲାଇସେନ୍ସ ଅବଧି ସରିବା ପରେ ବି କାହା ନିର୍ଦ୍ଦେଶରେ ଚାଲିଥିଲା ଡୋଲୋମାଇଟ ଖଣି ?
ନନ୍ଦିଘୋଷ ବ୍ୟୁରୋ: ଲାଇସେନ୍ସ ଅବଧି ଶେଷ ପରେ ବି ଚାଲିଥିଲା ଖଣି । ପଥର ଖାଦାନରେ ବେଧଡ଼କ ଭାବେ ଚାଲିଥିଲା ଖନନ । ଅସୁରକ୍ଷିତ ଭାବେ ଖଣି ଚାଲିଥିବା ବେଳେ ପଥର ତଳେ ଚାପି ହୋଇ ୪ ଜଣଙ୍କ ଜୀବନ ଚାଲିଗଲା । ଢେଙ୍କାନାଳ ନିମିଧା ରୋଡ ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି । କାହା ବଳରେ ଚାଲିଥିଲା ଖଣି ? ଲାଇସେନ୍ସ ଅବଧି ସରିଥିଲେ ବି କାହିଁକି ଚୁପ୍ ବସିଥିଲା ପ୍ରଶାସନ ? କିଏ ଚଳାଉଥିଲେ ଏହି ଖଣି ବୋଲି ପ୍ରଶ୍ନ ଉଠିଛି । ସବୁଜାଣି ପ୍ରଶାସନ ଚୁପ ରହିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖଣିମନ୍ତ୍ରୀ ।
ଡିସେମ୍ବର ୩୦ ତାରିଖରୁ ଶେଷ ହୋଇ ସାରିଥିଲା ଲାଇସେନ୍ସ ଅବଧି । ବେଆଇନ ଖଣିରୁ ବେଧଡ଼କ ଭାବେ ଚାଲିଥିଲା ଖଣି ଖନନ । ତା’ ପୁଣି ବିନା ସୁରକ୍ଷାରେ ବିପଦପୂର୍ଣ୍ଣ ଭାବରେ । ଶ୍ରମିକଙ୍କ ଜୀବନକୁ ବାଜି ଲଗାଇ ଡୋଲୋମାଇଟ ପଥର ଖାଦାନରେ ଚାଲିଥିଲା ବ୍ଲାଷ୍ଟ । ଶେଷରେ ଘଟିଲା ବଡ଼ ଅଘଟଣ । ଢେଙ୍କାନାଳ ମୋଟଙ୍ଗା ଥାନା ନିମିଧା ରୋଡ ଡୋଲୋମାଇଟ ଖଣି ବିସ୍ଫୋରଣରେ ଅକାରଣେ ଚାଲିଗଲା ୪ ଜଣଙ୍କ ଜୀବନ । ଏବେ ସୁଦ୍ଧା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇପାରିନାହିଁ । ସନ୍ଧାନୀ କୁକୁର ସହ ପୋଲିସ ମୃତଦେହ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ଢେଙ୍କାନାଳ ଏସପି ଓ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ବାବଦରେ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ସରକାର ।
ଖଣି ଖନନ ପାଇଁ ନଥିଲା ଅନୁମତି । କାହା ବଳରେ ଚାଲିଥିଲା ଖଣି ? ଲାଇସେନ୍ସ ଅବଧି ସରିଥିଲେ ବି କାହିଁକି ଚୁପ୍ ବସିଥିଲା ପ୍ରଶାସନ? କିଏ ଚଳାଉଥିଲେ ଏହି ଖଣି ? ଏଭଳି ଅନେକ ପ୍ରଶ୍ନ ଉଠିଥିବା ବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର ଏଭଳି ଖଣି ଖାଦାନ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ସେପଟେ ଘଟଣାର ତର୍ଜମା ଓ ତଦନ୍ତ ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ଚୋର ଗଲା ପରେ ଚେତୁଛି ପ୍ରଶାସନ । ଅକାଳରେ ଚାଲି ଯାଇଛି ଚାରି ଚାରିଟି ଜୀବନ । ଏବେ ବେଆଇନ ଖଣିକୁ ସିଲ୍ କରି ତଦନ୍ତ କରୁଛି ପୋଲିସ ।

