spot_img

Latest Posts

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି: ଆସନ୍ତାକାଲି ଅବିଭକ୍ତ କୋରାପୁଟ ବନ୍ଦ

ଜୟପୁର:  ଜୋର ଧରିଲା ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଏନେଇ ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୂଚନା ଦିଆଯାଇଛି ।

ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ନପାଇ ନବରଙ୍ଗପୁର ଜିଲ୍ଲାର ପିଲା ବାହାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଉଥିବା କହିଛି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏଥିପାଇଁ କନିଷ୍ଠ ଶିକ୍ଷକ ପଦବୀ ଜିଲ୍ଲା ଭିତ୍ତିକ କରିବା, ପେଶା ଆଇନ ଲାଗୁ କରିବା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀକୁ ଜିଲ୍ଲା ଭିତ୍ତିକ କରିବା ପାଇଁ ଦାବି କରିଛନ୍ତି । ଗତ ଦିନରେ କନିଷ୍ଠ ଶିକ୍ଷକ ନିଯୁକ୍ତ ପାଇଁ ୮୬୦ଟି ପଦବୀ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୧୩୪ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି । ବଳକା ୭୨୬ ଜଣ ଅନ୍ୟ ଜିଲ୍ଲାର ପ୍ରାର୍ଥୀ ରହିଥିବା କହିଛି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏହାକୁ ଦୃଷ୍ଟିରେ ରଖି ୩ଟି ଦାବି ରଖିଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଦାବି ପୂରଣ ନ ହେଲେ ୫ ତାରିଖରେ ଜିଲ୍ଲାରେ କଳାଦିବସ ପାଳନ କରାଯିବ । ଏହାସହ ୫, ୬ ଓ ୭ ତାରିଖ ତିନି ଦିନ ଧରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ । ଏହି ୩ଟି ଦାବି ନେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସି ମୁହଁରେ କଳା ପଟି ବାନ୍ଧି ନିରବ ପ୍ରତିବାଦ କରିଥିଲେ ନବରଙ୍ଗପୁର ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ।

ସାମ୍ବାଦିକ ସମ୍ମିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ, କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ନବରଙ୍ଗପୁର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ସହ ୪୫ ସଙ୍ଗଠନର ସଦସ୍ୟ ସାମିଲ ଥିଲେ ।

Latest Posts

Don't Miss