ଓଡ଼ିଶାରେ ଥିବା ଆଦିବାସୀ ଅଞ୍ଚଳରେ ମୋବାଇଲ ନେଟୱାର୍କ ସ୍ଥିତି କଣ: ମାନସଙ୍କ ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ
1 min read
ଓଡ଼ିଶାରେ ଥିବା ୫୧ ହଜାର ୧୭୬ ଗ୍ରାମ ମଧ୍ୟରୁ ୪୯ ହଜାର ୨୫୫ ମୋବାଇଲ ନେଟୱାର୍କ ଥିବା କେନ୍ଦ୍ର ଯୋଗାଯୋଗ ତଥା ଗ୍ରାମ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ.ପ୍ରେମାସନି ଚନ୍ଦ୍ର ଶେଖର ସଂସଦରେ ସୂଚନା ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ଥିବା ଆଦିବାସୀ ଅଞ୍ଚଳରେ ମୋବାଇଲ ନେଟୱାର୍କ ସ୍ଥିତି କଣ ରହିଛି। ଏ ଯାଏଁ କେତେ ଗାଁରେ ମୋବାଇଲ ନେଟୱାର୍କ ପହଞ୍ଚିନାହିଁ। ଏ କ୍ଷେତ୍ରରେ ବିଏସଏନଏଲଡ଼ ଓ ଘରୋଇ ଅପରେଟରଙ୍କ ଭୂମିକା, ଶତପ୍ରତିଶତ ମୋବାଇଲ ନେଟୱାର୍କ ପାଇଁ ଧାର୍ଯ୍ୟସମୟ ସୀମା କଣ? ଏହାସହିତ ଏଥିପାଇଁ କିଛି ସ୍ବତନ୍ତ୍ର ପାଣ୍ଠି ବିନିଯୋଗ ହେଉଛି କି ବୋଲି ମାନସ ରଞ୍ଜନ ମଙ୍ଗରାଜ ୫ଟି ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡ.ପ୍ରେମାସନି କହିଛନ୍ତି ଯେ, ମୋବାଇଲ ନେଟୱାର୍କ ଥିବା ୪୯ ହଜାର ୨୫୫ ଗାଁ ମଧ୍ୟରୁ ୪୮ ହଜାର ୪୯୦ ଗାଁରେ 4G ନେଟୱାର୍କ କାମ କରୁଛି। ରାଜ୍ୟର ୧୯ ହଜାର ୫୧୯ଟି ଆଦିବାସୀ ଗାଁ ମଧ୍ୟରୁ ୧୮ ହଜାର ୩୦୨ଟି ଗାଁରେ ମୋବାଇଲ ନେଟୱାର୍କ ଅଛି। ଏଥିନିମନ୍ତେ ୯୮ ହଜାର ୮୪୮ଟି ବେସ ଟ୍ରାନସରିସିଭର ଷ୍ଟେସନ ବା ବିଟିଏସ ସ୍ଥାପନ କରାଯାଇଛି। ଏଥିମଧ୍ୟରୁ ୮୮ ହଜାର ୩୬୦ଟି ବିଟିଏସଡ଼ ଘରୋଇ ସଂସ୍ଥାମାନେ ପ୍ରତିଷ୍ଠା କରିଥିବାବେଳେ ବିଏସଏନଏଲ ୧୦ ହଜାର ୪୮୮ଟି ଷ୍ଟେସନ ସ୍ଥାପନ କରିଛି। ଡିଜିଟାଲ ଭାରତ ନିଧି ଯୋଜନା ଆନୁକୂଲ୍ୟରେ ମୋବାଇ ନେଟୱାର୍କର ପରିସର ବୃଦ୍ଧି ପାଇଁ ଉଦ୍ୟମ କରାଯାଇଛି। ୨୦୨୫ ଜୁନମାସ ସୁଦ୍ଧା ୩ ହଜାର ୧୧୩ଟି ମୋବାଇ ଟାୱାର ସ୍ଥାପନ ହୋଇଛି। ଏହାଦ୍ବାରା ୪ ହଜାର ୪ ଶହ ୯୧ଟି ଗାଁ ମୋବାଇଲ ନେଟୱାର୍କ ସହ ଯୋଡ଼ି ହୋଇଛି। ୨୦୨୫ ଜୁନ ମାସ ସୁଦ୍ଧା ଡିଜିଟାଲ ଭାରତ ନିଧି ଯୋଜନା ମାଧ୍ୟମରେ ୩ ହଜାର ୯୩୪ କୋଟି ଟଙ୍କା ପ୍ରଦାନ କରାଯାଇଛି।