ନୂଆଦିଲ୍ଲୀ: ଚଳିତବର୍ଷ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ହେବ ରାଉରକେଲା ବ୍ରାହ୍ମଣୀ ବ୍ରିଜ୍ । ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ୍ ଗଡ଼କରୀ । କେନ୍ଦ୍ର ମନ୍ତ୍ରୀ ସ୍ୱୀକାର କରିଛନ୍ତି ବ୍ରିଜ୍ କାମରେ ବିଳମ୍ବ ହୋଇଛି । ବୀରମିତ୍ରପୁରରୁ ବ୍ରାହ୍ମଣୀ ବାଇପାସ୍ ୧୪୩ ନମ୍ବର ଜାତୀୟ ରାଜପଥକୁ ୪ ଥାକିଆ କରିବା ପାଇଁ ୩୮୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଅଟକଳ ହୋଇଛି । ଏହି ରାଜପଥର ୮୨ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି । ସେଥିରୁ ୮୭ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚରେ ପାନପୋଷଠାରେ ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ କାମ ଆଗେଇ ଚାଲିଥିବା କେନ୍ଦ୍ର ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
ବ୍ରାହ୍ମଣୀ ବ୍ରିଜରେ ହେଉଥିବା ଟ୍ରାଫିକ ଜାମ ସହରର ପ୍ରମୁଖ ସମସ୍ୟା । ସନ୍ଧ୍ୟା ହେଉ କି ସକାଳ ବ୍ରିଜ ଅତିକ୍ରମ କରିବାକୁ ଲାଗିଯାଏ ଘଣ୍ଟା ଘଣ୍ଟା । ଅଟକି ରହେ ଆମ୍ବୁଲାନ୍ସ, ଅନେକ ଲୋକଙ୍କ ଜୀବନ ସେଇ ଟ୍ରାଫିକ ଭିତରେ ଫସିଯାଏ । ତେବେ ଏହି କାର୍ଯ୍ୟ ଖୁବଶୀଘ୍ର ସରିବା ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ଏପ୍ରିଲ ୧ରେ ସେକ୍ଟର-୧୩ ଏୟାରପୋର୍ଟ ପଡିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଦ୍ୱିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଜିଲ୍ଳାବାସୀ କରତାଳି ଦେଇ ସ୍ୱାଗତ କରିଥିଲେ।
କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରୀ ହେବାକୁ ଲାଗିଲା ଦୁଇ ବର୍ଷ। ଗତ ୨୦୧୭ ଜୁଲାଇ ୨୧ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବାଲୁଘାଟସ୍ଥିତ ପଡିଆରେ ଆୟୋଜିତ ଶିଳାନ୍ୟାସ ସଭାରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ ଯୋଗଦେଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବିଡମ୍ବନା ଯେ, ବ୍ରିଜ କାର୍ଯ୍ୟ ଆରମ୍ଭକୁ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଏହି କାର୍ଯ୍ୟ ସପାପ୍ତ ହୋଇପାରିନାହିଁ । ତେବେ ସଂସଦରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଆଶ୍ୱସନା ଦେଇଛି ।

