spot_img

Latest Posts

ଲଖିମପୁର-ଖେରି ହିଂସା; ପୋଲିସ ନିକଟରେ ହାଜର ହେବେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର

ଲକ୍ଷ୍ନୗେ: ଆଜି ସକାଳ ୧୧ଟା ସୁଦ୍ଧା ପୋଲିସ ନିକଟରେ ହାଜର ହେବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର। ଉତ୍ତରପ୍ରଦେଶର ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲାରେ ତାଙ୍କୁ ସମନ କରିଥିଲା ପୋଲିସ। ଗତକାଲି ତାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ପରେ ଆଉ ଥରେ ସମନ କରାଯାଇଥିଲା ।

ଅପରପକ୍ଷେ ଗତକାଲି ସୁପ୍ରିମକୋର୍ଟରେ ୟୁପି ସରକାର ମାମଲାର ଷ୍ଟାଟସ ରିପୋର୍ଟ ରଖିଥିବା ବେଳେ ତଦନ୍ତରେ ଅବହେଳା ନେଇ ପ୍ରବଳ ବର୍ଷିଥିଲେ କୋର୍ଟ। ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଦୌ ସନ୍ତୋଷଜନକ ନୁହେଁ। ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ଏମିତି ସମନ କରାଯାଏ କି ବୋଲି ପ୍ରଶ୍ନ ପଚାରିଥିଲେ ସର୍ବୋଚ୍ଚ ଅଦାଲତ। ଏଥିସହ ତଦନ୍ତ ବେଳେ ଯେମିତି କୌଣସି ପ୍ରମାଣ ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ତେବେ ହିଂସାକାଣ୍ଡ ପରେ ସ୍ଥାନୀୟ ପୋଲିସ ତଦନ୍ତରେ ସାଂଘାତିକ ଅବହେଳା କରିଛି। ତଥ୍ୟ ପ୍ରମାଣକୁ ସୁରକ୍ଷା ଦେବାରେ ଅବହେଳା କରିଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାରେ ବିଫଳ ହୋଇଛି ପୋଲିସ। ଖଣ୍ଡପୀଠ ପୋଲିସ ତଦନ୍ତରେ ଆଦୌ ସନ୍ତୁଷ୍ଟ ନଥିବା କହିଛନ୍ତି। ଏଥିସହିତ ଏଯାଏଁ କାହିଁକି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

Latest Posts

Don't Miss